Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିପୁରୁଷ ବିବାଦ; ଶେଷରେ କ୍ଷମା ମାଗିଲେ ମନୋଜ ମୁନ୍ତାଶିର, ହନୁମାନଙ୍କୁ କହିଲେ ଭଗବାନ

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ ଆଦିପୁରୁଷ ଜୁନ ୧୬ରେ ରିଲିଜ ହୋଇଥିଲା। ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକଙ୍କ ମହଲରେ ଯେଉଁ ଉତ୍ସାହ ଥିଲା, ରିଲିଜ୍ ପରେ ପୂରା ଓଲଟା ଦୃଶ୍ୟ ଦେଖିବାକୁ ମିଳିଥିଲା। ନିମ୍ନମାନ ଭିଏଫଏକ୍ସ, ଫିଲ୍ମର ସଂଳାପ ଏବଂ ଚରିତ୍ରଙ୍କ ବେଶଭୂଷାକୁ ନେଇ ଆଦିପୁରୁଷକୁ ସମଗ୍ର ଦେଶରେ ଟ୍ରୋଲ କରାଯାଇଛି। ଏହାର ନିର୍ଦ୍ଦେଶକ ଓମ ରାଉତ ଏବଂ ଲେଖକ ମନୋଜ ମୁନ୍ତାଶିର ଶୁକ୍ଳାଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଆହ୍ଲାବାଦ ହାଇକୋର୍ଟ ମଧ୍ୟ କଡ଼ା ଶବ୍ଦରେ ନିର୍ଦ୍ଦେଶକ, ଲେଖକ ଏବଂ ନିର୍ମାତାଙ୍କୁ ତାଗିଦ୍ କରିବା ସହ କୋର୍ଟରେ ହାଜର ହେବାକୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ଏହା ମଧ୍ୟରେ ଶେଷରେ ମନୋଜ ମୁନ୍ତାଶିର ଶୁକ୍ଳା କ୍ଷମା ମାଗିଛନ୍ତି।

ମନୋଜ ମୁନ୍ତାଶିର ଶୁକ୍ଳା ଟୁଇଟ୍ କରି ଆଦିପୁରୁଷ ବିବାଦ ଉପରେ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ମୁଁ ସ୍ଵୀକାର କରୁଛି ଯେ, ଫିଲ୍ମ ଆଦିପୁରୁଷରେ ଜନଭାବନାକୁ ଆଘାତ ଲାଗିଛି। ନିଜର ସମସ୍ତ ଭାଇ-ଭଉଣୀ, ବଡ଼, ପୂଜ୍ୟ ସାଧୁ-ସନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତଙ୍କୁ ହାତ ଯୋଡ଼ି ବିନା ସର୍ତ୍ତରେ କ୍ଷମା ମାଗୁଛି। ଭଗବାନ ବଜରଙ୍ଗ ବଲି ଆମ ସମସ୍ତଙ୍କୁ କୃପା କରନ୍ତୁ। ଆମକୁ ଏକ ଏବଂ ଅତୁଟ ରଖି ନିଜ ପବିତ୍ର ସନାତନ ଏବଂ ମହାନ ଦେଶର ସେବା ପାଇଁ ଶକ୍ତି ପ୍ରଦାନ କରନ୍ତୁ।

ଲେଖକ ମନୋଜ ମୁନ୍ତାଶିର ଶୁକ୍ଳାଙ୍କ ଏହି ଟୁଇଟ୍ ଉପରେ ୟୁଜର୍ସ ଖୁବ୍ ଟ୍ରୋଲ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପ୍ରଥମେ ତ ଫିଲ୍ମକୁ ବହୁତ ସପୋର୍ଟ କରୁଥିଲ, ଏବେ କଣ ହେଲା, ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ବଦଳାଇ ଦେଲା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବନ୍ଧୁ ଏହାର କଥାରେ ଜମାରୁ ପଡ଼ନ୍ତୁ ନାହିଁ, କାମ ମିଳିବା ବନ୍ଦ ହୋଇ ଯିବାରୁ ଆର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ଜଣେ ୟୁଜର ଆଦିପୁରୁଷ ଡାଇଲଗ ଶୈଳୀରେ ଲେଖିଛନ୍ତି, ୟେ ତେରି ବୁଆ କା ବଗିଚା ହେ, ଜୋ ପହଲେ ଧର୍ମ ଔର ଭଗବାନୋଁ କା ମଜାକ ଉଡ଼ାୟା ଔର ଅବ ମାଫି ମାଗନେ ଆୟା। ଆଉ କିଛି ୟୁଜର ଆଶାଳୀନ ଶବ୍ଦ ପ୍ରୟୋଗ କରି ମନୋଜ ମୁନ୍ତାଶିର ଶୁକ୍ଳା ଉପରେ ନିଜର କ୍ରୋଧ ଜାହିର କରିଥିବା ବେଳେ ଆଉ କିଛି ୟୁଜର ଏହି କ୍ଷମାକୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖନୀୟ ଫିଲ୍ମ ରିଲିଜ୍ ପରେ ମନୋଜ ନିଜକୁ ସଠିକ୍ ସାବ୍ୟସ୍ତ କରିବା ପାଇଁ ବଡ଼ ବଡ଼ କଥା କହୁଥିଲେ, ଯାହାକୁ ନେଇ ଖୁବ୍ ବିବାଦ ହୋଇଥିଲା। ଏପରିକି ସେ ହନୁମାନ ଭଗବାନ ନୁହନ୍ତି, ଭକ୍ତ ବୋଲି କହିଥିଲେ। ଫିଲ୍ମ ରିଲିଜ୍ ପୂର୍ବରୁ ଏହି ମନୋଜ ମୁନ୍ତାଶିର ଶୁକ୍ଳା କହିଥିଲେ ଯେ, ଆମେ ବାଲ୍ମିକୀ ରାମାୟଣ ଏବଂ ତୁଳସୀ ଦାସଙ୍କ ରାମଚରିତ ମାନସରୁ ଫିଲ୍ମ ନିର୍ମାଣ କରିଛୁ। ଆପଣ ରାମାୟଣରେ ଯାହା ଦେଖିଛନ୍ତି ସଂପୂର୍ଣ୍ଣ ରୂପେ ତାହା ହିଁ ଦେଖାଇଛୁ। କିନ୍ତୁ ବିବାଦ ବଢିବା ପରେ ମନୋଜ କହିଥିଲେ ଯେ, ଆମେ ରାମାୟଣ ତିଆରି କରି ନାହୁଁ ଆମେ ରାମାୟଣରୁ ପ୍ରେରିତ ହୋଇ ଆଦିପୁରୁଷ ନିର୍ମାଣ କରିଛୁ। ଏହାକୁ ନେଇ ତାଙ୍କୁ ସବୁ ବର୍ଗରୁ ସମାଲୋଚନା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ