Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ଦ୍ଵିତୀୟ ସବୁଠୁ ସଫଳ ବୋଲର ହେଲେ ଅଶ୍ଵିନ, ଭାଙ୍ଗିଲେ ହରଭଜନ ସିଂଙ୍କ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଘରୋଇ ଓ୍ଵେଷ୍ଟଇଣ୍ଡିଜକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଭାରତ ତିନି ଦିନ ଭିତରେ ଓ୍ଵେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୩୧ ରନରେ ହରାଇଛି। ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ମ୍ୟାଚରେ ମୋଟ୍ ୧୨ଟି ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ପ୍ରଥମ ଇନିଂସରେ ୫ ଏବଂ ଦ୍ଵିତୀୟ ଇନିଂସରେ ୭ ଓ୍ଵକେଟ୍ ଦଖଲ କରିଛନ୍ତି। ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଅଶ୍ଵିନ ଭାରତର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଅଶ୍ଵିନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ଦ୍ଵିତୀୟ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି।

ଅଶ୍ଵିନ ବର୍ତ୍ତମାନ ୨୭୧ ମ୍ୟାଚରେ ୭୦୯ ଶିକାର କରିଛନ୍ତି। ଏହି ସମୟରେ ତାଙ୍କର ଓ୍ଵିକେଟ୍ ନେବା ହାର ୨୫.୬୭ ଏବଂ ଇକୋନୋମି ୨.୭୭ ରହିଛି। ଅଶ୍ଵିନଙ୍କ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୭/୫୯ ରହିଛି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୭ ଥର ୪ ଓ୍ଵିକେଟ୍ ଏବଂ ୩୪ ଥର ୫ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ୮ ଥର ୧୦ ଓ୍ଵିକେଟ୍ ନେବାର କାରନାମା କରିଛନ୍ତି। ଅଶ୍ଵିନ ଟେଷ୍ଟରେ ୪୮୬, ଦିନିକିଆରେ ୧୫୧ ଏବଂ ଟି-୨୦ରେ ୭୨ ଓ୍ଵିକେଟ୍ ନେଇଛନ୍ତି।

ଅନ୍ୟପକ୍ଷେ ୧୯୯୮ରୁ ୨୦୧୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ହରଭଜନ ନିଜ କ୍ୟାରିୟରରେ ୩୬୫ ମ୍ୟାଚରେ ୭୦୭ ଓ୍ଵିକେଟ୍ ଦଖଲ କରିଛନ୍ତି। ଏହି ସମୟରେ ଓ୍ଵିକେଟ୍ ନେବା ହାର ୩୨.୫୯ ରହିଛି। ଭଜିଙ୍କ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହେଉଛି ୮/୮୪। ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହେଉଛନ୍ତି ଅନିଲ କୁମ୍ବଲେ। ସେ ୧୯୯୦ରୁ ୨୦୦୮ ପର‌୍ୟ୍ୟନ୍ତ ୯୫୩ ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନଙ୍କୁ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆହୁରି ୨୪୫ ଓ୍ଵିକେଟ୍ ଦରକାର।

ସୂଚନାଯୋଗ୍ୟ, ଅଶ୍ଵିନ ହରଭଜନ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୬ ଥର ୫ ଓ୍ଵିକେଟ୍ ହାସଲ କରିଛନ୍ତି। ହରଭଜନ ସିଂହ ପାଞ୍ଚ ଥର ୫ ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ବର୍ତ୍ତମାନ ମ୍ୟାକଲମ ମାର୍ଶଲଙ୍କ ସହିତ ଯୁଗ୍ମ ଭାବେ ଶୀର୍ଷରେ ଅଛନ୍ତି। ଏହା ବ୍ୟତୀତ ସେ ଟେଷ୍ଟରେ ସର୍ବାଧିକ ଥର ୧୨ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେବାରେ ଯୁଗ୍ମ ଭାବେ ଶୀର୍ଷରେ ପହଞ୍ଚିଛନ୍ତି। ସେ ଷଷ୍ଠ ଥର ୧୨ କିମ୍ବା ତରୁର୍ଦ୍ଧ୍ଵ ଓ୍ଵିକେଟ୍ ନେଇ ମୁଥେୟା ମୁରଲୀଧରଣଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ