Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ :ବଦଳିବ କି ପୁରୁଣା ଲଢେଇ

ଅତାବିରା -୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ଆମ୍‌ ଆଦ୍‌ମୀ ପାର୍ଟି ନେତା ଏବେ ଗାଁ ମୁହାଁ ହୋଇଛନ୍ତି। ଶାସକ ବିଜେଡିର ନେତା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କଥା କହୁଥିବା ବେଳେ ଭାଜପା କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତିରେ ବିଭିନ୍ନ କ୍ଷେତ୍ରରେ କିଭଳି ବିକାଶ ହୋଇପାରିଛି ତାହା ବଖାଣୁଛନ୍ତି। ସେହିପରି କଂଗ୍ରେସ ଅତାବିରା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଉଛି। ୨୦୦୯ ପରଠାରୁ ଅତାବିରା ଆସନ ଥରେ କଂଗ୍ରେସ ଓ ଦୁଇ ଥର ବିଜେଡି ଦଖଲ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁରେ ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି।
ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ରାଜନେତିକ ପରିସ୍ଥିତି ଯାହା ଏଠାରେ ପୁରୁଣା ଲଢେଇରେ ବ୍ରେକ୍‌ ଲାଗିବା ସମ୍ଭାବନା ରହିଛି। ବିଜେଡି ଓ କଂଗ୍ରେସ ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଏକପ୍ରକାର ସବୁଜ ସଙ୍କେତ ମିଳିଥିବା କୁହାଯାଉଥିବା ବେଳେ ଭାଜପାରେ କିନ୍ତୁ ମାଳ ମାଳ ଆଶାୟୀ। ଏହି ଦଳରେ ପ୍ରାର୍ଥୀ ଚୟନ ଦ୍ବନ୍ଦ୍ବ ଦୂର ହେଉନି। ଦଳ ଏଥର ନୂଆ ଚେହେରାକୁ ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା ଜୋର୍‌ ଧରିଛି। ଏଭଳି ହେଲେ ବିଜେଡି ଓ କଂଗ୍ରେସରେ ମଧ୍ୟ ନୂତନ ଆଶାୟୀଙ୍କ ଆବିର୍ଭାବ ହେବା ସମ୍ଭାବନା ରହିଛି।
ବିଜେଡି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ କୁଆଡେ ବରଗଡ଼ ଲୋକସଭା କ୍ଷେତ୍ରରୁ ଏମ୍‌ପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ସ୍ନେହାଙ୍ଗିନୀଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କୁ ଦଳ ଅତାବିରାରେ ପ୍ରାର୍ଥୀ କରାଇବାକୁ ମସୁଧା କରୁଥିବା କୁହାଯାଉଛି। ଅତାବିରାରେ ପଞ୍ଚାୟତ ହେଉ କି ପୌର ନିର୍ବାଚନ ସବୁଥିରେ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ଲଗାତର କାମ କରିଆସୁଛନ୍ତି ବିଧାୟିକା ଛୁରିଆ। ପଶ୍ଚିମ ଓଡ଼ିଶାରେ ନିଜର ରାଜନୈତିକ ଦବଦବା ଜାହିର କରିଆସିଥିବା ଛୁରିଆ ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ଅତାବିରାରେ ହ୍ୟାଟ୍ରିକ ବିଜୟ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କୁ ଯଦି ବରଗଡ଼ ଲୋକସଭା ଆସନରେ ଦଳ ପ୍ରାର୍ଥୀ କରେ ତେବେ ସବୁ ଗଣିତ ଓଲଟପାଲଟ ହେବା ସହ ତାଙ୍କ ହ୍ୟାଟ୍ରିକ ଆଶା ଧୂଳିସାତ୍‌ ହୋଇଯିବ ବୋଲି ସମର୍ଥକମାନେ କହୁଛନ୍ତି।
ସେପଟେ ଭାଜପାର ମିଳନ ସେଠ ୩ଥର ହାରିବା ପରେ ପୁଣି କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏଠାରେ ମାଳ ମାଳ ଆଶାୟୀ ଗାଁ ଗାଁରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି। ନିକଟରେ ପ୍ରଶାସନିକ କାର୍ଯ୍ୟରୁ ଅବସର ନେଇ ରଞ୍ଜନ ସେଟ ଭାଜପାରେ ଯୋଗଦେଇ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ପୂର୍ବରୁ କୁଶ କୁମ୍ଭାର ମଧ୍ୟ ପୋଲିସ ଚାକିରି କାର୍ଯ୍ୟ ଛାଡି ଭାଜପା ପାଇଁ ଅତାବିରାରେ କାମ କରୁଛନ୍ତି। ଅନ୍ୟପଟେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ସଂଘ ନେତା ଉର୍କୁଲୁ ତାଣ୍ଡି ଟିକେଟ ଆଶାୟୀ ହୋଇ ୫ବର୍ଷରୁ ଅଧିକ ସମୟ ହେଲା ଦଳୀୟ କାର୍ଯ୍ୟରେ ସକ୍ରିୟ ରହିଛନ୍ତି। ଏପରି ଆହୁରି ଅନେକ ଆଶାୟୀ ଦଳ ପାଇଁ ଚିନ୍ତା ବଢାଇଛନ୍ତି। ତେବେ ଦଳ କାହାକୁ ଭରସା କରିବ ସେ ନେଇ ଚିନ୍ତାରେ ପଡିଛି। ସେହିପରି ଅତାବିରାରେ ବର୍ତ୍ତମାନ ବରଗଡ଼ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଏକମାତ୍ର ଦାବିଦାର ଥିବା କୁହାଯାଉଛି। କିନ୍ତୁ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ କଲେ କଂଗ୍ରେସ ମଧ୍ୟ ଏ ନେଇ ଚିନ୍ତା କରିପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ୨୦୧୯ରେ ବିଜେଡିର ଭୋଟ ହାର ୪.୦୬ ଶତକଡା ବୃଦ୍ଧି ହୋଇଥିଲା। ଦଳୀୟ ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ୮୪ହଜାର ୧୦ଖଣ୍ଡ ଭୋଟ ପାଇଥିଲେ। ସେହିପରି ଭାଜପାର ଭୋଟ୍‌ ହାର ୧୪.୧୫ ପ୍ରତିଶତ ବଢିଥିଲା ଏବଂ ଦଳୀୟ ପ୍ରାର୍ଥୀ ମିଳନ ସେଠ୍‌ ୬୧ହଜାର ୬୧୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ତେବେ କଂଗ୍ରେସର ଭୋଟ୍‌ ହାର ୧୫.୯୪ ଶତକଡା ହ୍ରାସ ପାଇବାରୁ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ୨୧ ହଜାର ୫୧୧ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ