Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହାରା ନିବେଶକ ଫେରିପାଇବେ ନିଜ ଅଂଶ ଧନ: ଆଜି ସ୍ୱତନ୍ତ୍ର ପୋର୍ଟାଲ ଉନ୍ମୋଚନ

ାହା‌ରା ଇଣ୍ଡିଆର ନିବେଶକମାନେ ସୁବିଧାରେ ନିଜ ଟଙ୍କା ଫେରିପାଇବେ। ସେଥିପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ପୋର୍ଟାଲ ବିକାଶ କରିଛନ୍ତି। ଆଜି ତାହାକୁ ଗୃହ ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିବେ। ଏହି ପୋର୍ଟାଲ ମାଧ୍ୟମରେ ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ। ଯେଉଁମାନଙ୍କ ନିବେଶ ଅବଧି ଶେଷ ହୋଇଛି ସେମାନେ ଏଥିରେ ଆବେଦନ କରିପାରିବେ।
ଏହି ପୋର୍ଟାଲ୍‌ରେ ସାହାରା ଇଣ୍ଡିଆ ନିବେଶକମାନଙ୍କ ବିବରଣୀ ରହିବ। ନିଜ ଟଙ୍କାକୁ ନିବେଶକମାନେ କିଭଳି ଫେରିପାଇବେ ତାହାର ବିବରଣୀ ମଧ୍ୟ ପୋର୍ଟାଲ୍‌ରେ ରହିଛି। ସାହାରା ଇଣ୍ଡିଆର କୋଅପରେଟିଭ୍ ସୋସାଇଟିରେ ୧୦ କୋଟିରୁ ଅଧିକ ନିବେଶକଙ୍କ ଟଙ୍କା ଫସିରହିଛି। ସେଥିରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟର ଅଧିକ ଲୋକ ରହିଛନ୍ତି। ସାହାରାଠାରୁ ନିଜ ଟଙ୍କା ଫେରିପାଇବାରେ ବିଫଳ ହୋଇଥିବା ନିବେଶକମାନେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍‌, ସାହାରାନ୍ ୟୁନିଭର୍ସାଲ୍ ମଲ୍‌ଟି ପରପସ୍ ‌ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍‌ ଓ ଷ୍ଟାର୍ସ ମଲ୍‌ଟିପରପସ୍ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ନିବେଶକମାନେ ଟଙ୍କା ଫେରିପାଇବା ଲାଗି ପୋର୍ଟାଲ୍ ଜରିଆରେ ଆବେଦନ କରିପାରିବେ। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଭାଷ ରେଡ୍ଡିଙ୍କ ତତ୍ତ୍ବାବଧାନରେ ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ। ଏହି କାର୍ଯ୍ୟରେ ତାଙ୍କୁ ଆଇନଜୀବୀ ଗୌରବ ଅଗ୍ରୱାଲ ସାହାଯ୍ୟ କରିବେ।
ଉଲ୍ଲେଖଯୋଗ୍ୟ, ୨୦୧୨ରେ ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ୍‌ କର୍ପୋରେସନ (ଏସ୍‌ଆଇଆର୍‌ଇସିଏଲ୍‌) ଓ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ ଲିମିଟେଡ୍‌ (ଏସ୍‌ଏଚ୍‌ଆଇସିଏଲ୍‌)ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସାହାରା-ସେବି ଆକାଉଣ୍ଟ୍‌ ଖୋଲିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିବେଶକମାନଙ୍କୁ ୨୪,୪୦୦ କୋଟି ଟଙ୍କା ଫେରାଇବାକୁ ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏସମ୍ପର୍କିତ ମାମଲାର ବିଚାର ଏବେବି ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ