Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସମୀୟା ସାହିତ୍ୟ ରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାହିତ୍ୟ କାଳଜୟୀ

ସମ୍ବଲପୁର:ସମ୍ବଲପୁର ସ୍ଥିତ କଚେରି ଛକ ଠାରେ ଥିବା ବେଜବରୁଆ ଭବନ ଠାରେ ସାହିତ୍ୟ ରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ଏକ ପୂର୍ଣ୍ଣ ଆବୟବ ପ୍ରତିମୂର୍ତ୍ତି ସ୍ଥାପନ ସକାଶେ ଗତକାଲି ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଆ ଭାଷା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର,ଆସାମର ଶକ୍ତି,ସଂସ୍କୃତି ପର୍ଯ୍ୟଟନ,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ବିମକ ବୋରା,ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ,ଏଡିଏମ ଅଜାମ୍ବର ମହାନ୍ତି , ଆସାମର ସଂସ୍କୃତି ବିଭାଗ ନିର୍ଦ୍ଦେଶିକା ମୀନାକ୍ଷୀ ଦାଶନାଥ,ସାହିତ୍ୟ ରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତି ରକ୍ଷା କମିଟି ଆସାମ ସଭାପତି ଇଂ ପ୍ରଦ୍ୟୋତ କୁମାର ଚୌଧିୁରୀ,ସଂପାଦକ ରଣ୍ଟୁ ଡେକା ଓ ସମ୍ବଲପୁରର ଆବାହକ ଐତିହାସିକ ଦୀପକ କୁମାର ପଣ୍ଡା ଯୋଗ ଦେଇଥିଲେ।
ଭୂମି ପୁଜନ ପରେ ଓଡିଶା ସାଂସ୍କୃତିକ ସମାଜ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେଯେ,ସାହିତ୍ୟ ଜନ ଜୀବନ ସହିତ ଜଡିତ। ବେଜବରୁଆ ସାହିତ୍ୟ କାଳଜୟୀ। ତାଙ୍କ ସ୍ମୃତି ରକ୍ଷା କରିବା ପାଇଁ ଆସାମ ଓ ଓଡିଶା ସରକାର ଆଗେଇ ଆସିବା ସାହିତ୍ୟ ଜଗତ ପାଇଁ ଏକ ନୂଆଁ ଦିଶା।ଆସାମର ମନ୍ତ୍ରୀ ବିମଳ ବୋରା କହିଲେଯେ,ଆସାମ ଓ ଓଡିଶା ମଧ୍ୟରେ ସଂପର୍କ ବହୁ ପୁରୁଣା।ଆସାମର ଚା ବଗିଚାରେ ଓଡିଶାର ବହୁ ଲୋକଙ୍କ ସମାଗମ ହେଉ ଥିବାରୁ ପ୍ରତ୍ୟେକ ଚା ବଗିଚାରେ ଗୋଟିଏ ଲେଖାଁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ହିମନ୍ତ ବିଶ୍ୱ ଶର୍ମା ସରକାର ପଦକ୍ଷେପ ନେଇଛନ୍ତି।ବେଜବରୁଆ ସମ୍ବଲପୁରରେ ସ୍ଥାୟୀ ବାସ କରି ଅସମୀୟା ସାହିତ୍ୟରେ ନୂତନ ଯୁଗ ପ୍ରବର୍ତ୍ତନ କରିଥିବାରୁ ସମ୍ବଲପୁର ମହତ୍ୱପୂର୍ଣ୍ଣ ଅଟେ। ଜିଲ୍ଲାପାଳ ଅନନ୍ୟା ଦାଶ ଏକ ଭାବ ବିହ୍ୱଳ ଅଭିଭାଷଣ ଦେଇ ସମ୍ବଲପୁର ତାଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ। ଜିଲ୍ଲାପାଳ କହିଥିଲେ,ପ୍ରଶାସନିକ ସେବାରେ ମାଁ ମାଟିର ସେବା ପାଇଁ ସାଧାରଣତଃ ସୁଯୋଗ ନଥାଏ।କିନ୍ତୁ ଜନ୍ମଭୂମି ଓ କର୍ମଭୂମି ଉଭୟ ସେବାର ସମ୍ମନ୍ୱୟ ମିଳିଛି ସମ୍ବଲପୁରରେ । ଏହା ଏକ ବିରଳ ଦୃଷ୍ଟାନ୍ତ ଓ କମ ଲୋକଙ୍କ ଭାଗ୍ୟରେ ଥାଏ। ଏଭଳି ସୁଯୋଗ ପାଇଁ ସେ ଖୁବ ଆନନ୍ଦିତ ଓ ବେଜବରୁଆଙ୍କ ସ୍ମୃତି ରକ୍ଷା କରିବା ଦିଗରେ ତାଙ୍କର ବି ବଡ ଯୋଗଦାନ ଥିବା କହିଥିଲେ। ଏହି ଅବସରରେ ସମ୍ବଲପୁରର ଚିତ୍ର ଶୀଳ୍ପି ମନୋଜ କୁମାର ଚୌଧୁରି ବେଜବରୁଆଙ୍କ ଏକ ଚିତ୍ର ମନ୍ତ୍ରୀ ପାତ୍ରଙ୍କୁ ଉପହାର ଦେଇଥିଲେ। ଦୀପକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ମୀନାକ୍ଷୀ ଦାଶନାଥ ଉଦବୋଧନ ଦେଇଥିବା ବେଳେ ପି.କେ ଚୌଧୁରୀ ସ୍ୱାଗତ ଭାଷଣ ଓ ରଣ୍ଟୁ ଡେକା ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ସୂଚନା ଯୋଗ୍ୟଯେ,ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରତିମୂର୍ତ୍ତି ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଓଡିଶାର ବିଶିଷ୍ଟ ସ୍ଥପତି ଜୟନ୍ତ ଦାଶ ପ୍ରତିମୂର୍ତ୍ତି ନିର୍ମାଣ କରିବେ। ମଞ୍ଚରେ ତାଙ୍କୁ ସମ୍ମାନିତ କରାଯାଇଥିଲା।ଉଲ୍ଲେଖଯୋଗ୍ୟଯେ,ସମ୍ବଲପୁରରେ ଥିବା ୨ଟି ବେଜବରୁଆ ଭବନରୁ ଗୋଟିଏର ଜୀର୍ଣ୍ଣୋଦ୍ଧାର କାମ ସରିଯାଇଥିବା ବେଳେ ଅନ୍ୟ ଏକ ଭବନର କାମ ଆରମ୍ଭ ହୋଇଛି।