Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WTC ପଏଣ୍ଟ ଟେବୁଲରେ ଖାତା ଖୋଲିଲା ପାକିସ୍ତାନ, ଶୀର୍ଷରେ ଭାରତ ମଜବୁତ

ନୂଆଦିଲ୍ଲୀ: ପାକିସ୍ତାନ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଶ୍ରୀଲଙ୍କାକୁ ୪ ଓ୍ଵିକେଟରେ ହରାଇଛି। ଏଥିସହ ପାକିସ୍ତାନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିବା ସହ ଡବ୍ଲୂଟିସି ପଏଣ୍ଟ ଟେବୁଲରେ ଖାତା ଖୋଲିଛି। ଏହି ବିଜୟ ପରେ ପାକିସ୍ତାନ ୧୦୦ ପ୍ରତିଶତ ଅଙ୍କ ସହ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି। ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପ୍ରଥମ ସ୍ଥାନରେ ରହିଛି। ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ତୃତୀୟ ସଂସ୍କରଣରେ ଅଦ୍ୟାବଧି ୬ଟି ଦଳ ନିଜର ଅଭିଯାନ ଆରମ୍ଭ କରି ସାରିଛନ୍ତି। ଅନ୍ୟପଟେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି।

ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଇନିଂସ ଓ ୧୪୧ ରନରେ ଜିତି ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅପରପକ୍ଷେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ ୨୦୨୩ ଜାରି ରହିଛି। ସିରିଜରେ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳା ଯାଇଛି, ଯେଉଁଥିରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଷ୍ଟ୍ରେଲିଆ ଖାତାରେ ୬୧.୧୧ ପ୍ରତିଶତ ପଏଣ୍ଟ ଥିବା ବେଳେ ଇଂଲଣ୍ଡ ଖାତାରେ ରହିଛି ୨୭.୭୮ ପ୍ରତିଶତ ଏବଂ ଦଳ ଚତୁର୍ଥ ସ୍ଥାନରେ ରହିଛି।

ଶ୍ରୀଲଙ୍କା ଏବଂ ଓ୍ଵେଷ୍ଟଇଣ୍ଡିଜ ପରାଜୟରୁ ନିଜର ଡବ୍ଲ୍ୟୁଟିସି ଅଭିଯାନ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଡବ୍ଲ୍ୟୁଟିସିର ତୃତୀୟ ସଂସ୍କରଣରେ ଭାରତ ବିଦେଶରେ ଏବଂ ଘରୋଇ ମାଟିରେ ୩ଟି ଲେଖାଏଁ ଟେଷ୍ଟ ସିରିଜ୍ ଖେଳିବ। ଏହି ସମୟରେ ଦଳ ମୋଟ୍ ୧୯ଟି ଟେଷ୍ଟ ମ୍ୟାଚ୍ ଖେଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ