ଆଦିବାସୀ ବହୁଳ ଶିର୍ଲିର ଦୃଶ୍ୟ, ଶୋଚନୀୟ ସଡ଼କ


ଖଡ଼ିଆଳ: କେନ୍ଦ୍ର ସହିତ ରାଜ୍ୟ ସରକାର ଚାରିଗୋଟି ସମସ୍ୟାକୁ ଦୂରୀକରଣ କରିବା ପାଇଁ ପ୍ରୟାସ କରୁଥିବା ଡିଣ୍ଡିମ ପିଟୁଛନ୍ତି । ତାହା ହେଲା ଗମନାଗମନ ପାଇଁ ରାସ୍ତା, ସ୍ୱାସ୍ଥ୍ୟ, ଖାଦ୍ୟ, ଶିକ୍ଷା ଓ ରହିବା ପାଇଁ ଆବାସ । ସରକାରଙ୍କ ଯୋଜନା କେତେକାଂଶରେ ସଫଲିଭୁତ ହେଉଥିବା ବେଳେ କେତେକାଂଶରେ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ସମସ୍ୟା ଗୁଡିକ ଦୂରୀକରଣ ହୋଇ ପାରୁନାହିଁ । ଏହି ପରି ଏକ ରାସ୍ତାର ଦୁରାଵସ୍ଥା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଆଦିବାସୀ ବହୁଳ ଗ୍ରାମ ଶିର୍ଲିରେ । ଗାଁ ଦାଣ୍ଡର ରାସ୍ତା ଶୋଚନୀୟ ହୋଇପଡି ଥିବା ବେଳେ ସଡ଼କ ଉପରେ ଚଳିତ ଲଘୁଚାପ ବର୍ଷାର ଜଳ ପ୍ରବାହିତ ହେଉଅଛି। ଉକ୍ତ ଗ୍ରାମ ଆଦିବାସୀ ବହୁଳ ଗ୍ରାମ । ସରକାରଙ୍କ ନିୟମ ଅନୁସାରେ ମାଡା ଗ୍ରାମରେ ରାସ୍ତା, ଆବାସ ଯୋଜନା ସହିତ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହେବା କଥା । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଲା ଯୋଗୁଁ ସ୍ବାଧୀନତା ପରବର୍ତ୍ତୀ ଚିତ୍ର ଯାହାଥିଲା ଏବେ ବି ସେମିତି ରହିଛି । ବିକାଶ ବିକାଶରେ ହିଁ ରହିଯାଇଛି । ଏ ବିଷୟରେ ବୋଡେ଼ନ ବିଡିଓ ପ୍ରିୟରଞ୍ଜନ କୁମାରଙ୍କୁ ଯୋଗାଯୋଗ କରାଯିବାରୁ ମୁ ମଧ୍ୟ ଉକ୍ତ ଗ୍ରାମକୁ ଯାଇଛି ଓ ସେହି ଗ୍ରାମର ରାସ୍ତା ଦୁରାଵସ୍ଥା ଦେଖିଛି । ଅତିଶୀଘ୍ର ରାସ୍ତା ମରାମତି କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।