ନୂଆଦିଲ୍ଲୀ: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ଆଜି ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅଗଷ୍ଟ ୬ରେ ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଭାରତୀୟ ଚୂଡାନ୍ତ ଏକାଦଶ ଉପରେ ପ୍ରତ୍ୟେକଙ୍କ ନଜର ରହିଛି। ପ୍ରଥମ ଟି-୨୦ରେ ଭାରତ ୪ ରନରେ ଘରୋଇ ଇଣ୍ଡିଜଠୁ ପରାଜିତ ହୋଇଥିଲା। ତେଣୁ ଆଜିର ମୁକାବିଲାରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ ରହିଛି।
ବ୍ରାଏନ ଲାରା ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ବୋଲର ଦମଦାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟର ନିରାଶ କରିଥିଲେ। ତିଳକ ବର୍ମାଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର ୩୦ରୁ ଉର୍ଦ୍ଧ୍ଵ ରନ କରି ପାରି ନଥିଲେ। ତେଣୁ ଦ୍ଵିତୀୟ ଟି-୨୦ରେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଇଶାନ କିଷନଙ୍କ ଟି-୨୦ ରେକର୍ଡ ନିରୁତ୍ସାହଜନକ ଥିବାରୁ ତାଙ୍କୁ ଆଜି ବେଞ୍ଚରେ ବସିବାକୁ ପଡ଼ିପାରେ। ଗତ ୧୫ଟି ଇନିଂସରେ ତାଙ୍କ ବ୍ୟାଟରୁ ମାତ୍ର ୨୦୬ ରନ ଆସିଛି।
ତେଣୁ ଦଳ ପ୍ରବନ୍ଧକ ଫର୍ମରେ ଥିବା ଯଶସ୍ଵୀ ଜୟସଓ୍ଵାଲଙ୍କୁ ସୁଯୋଗ ଦେଇ ପାରନ୍ତି। ଜୟସଓ୍ଵାଲ ଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରି ଶତକ ଅର୍ଜନ କରିଥିଲେ। ଏହା ବ୍ୟତୀତ ବ୍ୟାଟିଂ କ୍ରମରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ନମ୍ବର ୩ ଏବଂ ତିଳକ ବର୍ମା ନମ୍ବର ୪ରେ ବ୍ୟାଟିଂ କରିଥିଲେ। ସଞ୍ଜୁ ସାମସନ ନମ୍ବର ୬ରେ ବ୍ୟାଟିଂ କରିଥିଲେ, ଯିଏ ନିମ୍ନ କ୍ରମରେ ବ୍ୟାଟିଂ ପାଇଁ ପଚିଚିତ ନୁହନ୍ତି। ତେଣୁ ଆଜି ମ୍ୟାଚରେ ତାଙ୍କୁ ନମ୍ବର ୪ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିପାରେ। ଏଥିରେ ସୂର୍ଯ୍ୟ ନିଜର ପସନ୍ଦର ନମ୍ବର ୪ରେ ବ୍ୟାଟିଂ କରିବାକୁ ସୁଯୋଗ ପାଇ ପାରନ୍ତି।
ଦ୍ଵିତୀୟ ଟି-୨୦ରେ ଭାରତୀୟ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ
ଶୁଭମନ ଗିଲ୍, ଇଶାନ କିଷନ/ଯଶସ୍ଵୀ ଜୟସଓ୍ଵାଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସଞ୍ଜୁ ସାମସନ, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ମୁକେଶ କୁମାର।