Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ମ୍ୟାଚକୁ ନେଇ ଚିନ୍ତାରେ ବିସିସିଆଇ, କଣ ପୁଣି ଥରେ ବଦଳିବ ବିଶ୍ଵକପ୍ ୨୦୨୩ର ଖେଳସୂଚୀ

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩କୁ ଦୁଇ ମାସରୁ କମ ସମୟ ରହିଛି। ଏହା ମଧ୍ୟରେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ ବିସିସିଆଇକୁ ବିଶ୍ଵକପ୍ ଖେଳସୂଚୀରେ ପୁଣି ଥରେ ପରିବର୍ତ୍ତନ କରିବାକୁ ଦାବି କରିଛି, ଯାହା ବୋର୍ଡର ଚିନ୍ତାକୁ ବଢାଇ ଦେଇଛି। ବିସିସିଆଇ ଓ ଆଇସିସି ଏକାଠି ମିଶି ବିଶ୍ଵକପ୍ ୨୦୨୩ର ଖେଳସୂଚୀ ୧୦୦ ଦିନ ପୂର୍ବରୁ ଘୋଷଣା କରିଥିଲେ। ହେଲେ ଏହାର କିଛି ଦିନ ପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସହିତ ମୋଟ୍ ୯ଟି ମ୍ୟାଚର ଖେଳସୂଚୀରେ ପରିବର୍ତ୍ତନ କରାଯାଇଥିଲା। ମାତ୍ର ଏବେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ(ଏଚସିଏ) ବିଶ୍ଵକପ୍ ଖେଳସୂଚୀରେ ପୁଣି ଥରେ ପରିବର୍ତ୍ତନ ଦାବି କରି ବିସିସିଆଇର ଚିନ୍ତା ବଢାଇଛି।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଏଚସିଏ ବିସିସିଆଇକୁ ଚିଠି ଲେଖି ଦୁଇଟି ମ୍ୟାଚ୍ ମଧ୍ୟରେ ସମୟ ଦେବାକୁ ଦାବି କରିଛି, କାରଣ ଷ୍ଟାଡିୟମରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଆୟୋଜନ କରାଯିବାର ଅଛି। ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅକ୍ଟୋବର ୯ ତାରିଖରେ ନ୍ୟୁଜିଲାଣ୍ଡ ବନାମ ନେଦରଲାଣ୍ଡ ମ୍ୟାଚ୍ ହେବ। ପୁଣି ତାର ପରବର୍ତ୍ତୀ ଦିନ ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯିବ।

ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ପ୍ରଥମେ ଅକ୍ଟୋବର ୧୨ ତାରିଖରେ ସ୍ଥିର ହୋଇଥିଲା। ମାତ୍ର ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରୁ ଅକ୍ଟୋବର ୧୪ ତାରିଖକୁ ଘୁଞ୍ଚାଯିବାରୁ ବିସିସିଆଇ ପାକିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚକୁ ଅକ୍ଟୋବର ୧୨ ପରିବର୍ତ୍ତେ ଅକ୍ଟୋବର ୧୦ ତାରିଖକୁ ସ୍ଥାନାନ୍ତର କରିଛି। ଯଦ୍ଵାରା ପଡୋଶୀ ଦେଶକୁ ପ୍ରସ୍ତୁତି ପାଇଁ ସମୟ ମିଳି ପାରିବ। ପାକିସ୍ତାନ-ନେଦରଲାଣ୍ଡ ମଧ୍ୟରେ ଅକ୍ଟୋବର ୬ ତାରିଖରେ ଏହି ମଇଦାନରେ ଆଉ ଏକ ମ୍ୟାଚ୍ ଖେଳାଯିବ।

ହାଇଦ୍ରାଦାବାଦ ପୋଲିସ ପଛକୁ ପଛ ମ୍ୟାଚ୍, ବିଶେଷ କରି ପାକିସ୍ତାନ ମ୍ୟାଚ୍ ପାଇଁ ସୁରକ୍ଷା ପ୍ରଦାନ ଉପରେ ଚିନ୍ତା ପ୍ରକଟ କରିଛି। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ବିସିସିଆଇ ଖେଳସୂଚୀରେ ପୁଣି ଥରେ ପରିବର୍ତ୍ତନ କରିବ କି ନାହିଁ। ଅଗଷ୍ଟ ୨୫ ତାରିଖରୁ ଟିକେଟ୍ ବିକ୍ରି ସାତୋଟି ପର‌୍ୟ୍ୟାୟରେ ଆରମ୍ଭ ହେଉଛି। ଅକ୍ଟୋବର ୫ରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵକପର ଉଦଘାଟନୀ ମ୍ୟାଚ୍ ଖେଳାଯିବ।