Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ବିପକ୍ଷ ଏସିଆ କପରେ କେମିତି ରହିବ ଭାରତର ବ୍ୟାଟିଂ କ୍ରମ ?

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଘୋଷଣା କରି ସାରିଛନ୍ତି ଯେ, କେଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଉପଲବ୍ଧ ରହିବେ ନାହିଁ। ଏମିତିରେ ଇଶାନ କିଷନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ। ଯଦି କେଏଲ ରାହୁଲ ଫିଟ୍ ଥାଆନ୍ତେ ତେବେ ସେ ନମ୍ବର ୫ରେ ବ୍ୟାଟିଂ କରିଥାନ୍ତେ। ମାତ୍ର ତାଙ୍କର ଅନୁପସ୍ଥିତିରେ ଭାରତୀୟ ଦଳର ବ୍ୟାଟିଂ ଅର୍ଡର ଅସ୍ଥିର ହୋଇ ଯାଇଛି।

ଇଶାନ କିଷନ ହେଉଛନ୍ତି ଟପ୍ ଅର୍ଡରର ଖେଳାଳି। ମାତ୍ର ପ୍ରଥମ ତିନୋଟି ସ୍ଥାନରେ ତାଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଯଦି ଇଶାନ କିଷନଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ ପାଇଁ ପଠାଯାଏ ତେବେ ଅନ୍ୟ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିବାକୁ ପଡ଼ିବ। ଯଦି ତାଙ୍କୁ ମଧ୍ୟକ୍ରମରେ ସୁଯୋଗ ଦିଆଯାଏ ତେବେ ସେ ନମ୍ବର-୪ କିମ୍ବା ନମ୍ବର-୫ରେ ବ୍ୟାଟିଂ କରି ପାରନ୍ତି। କିନ୍ତୁ ଇଶାନ କିଷନ ଓପନିଂରେ ହିଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି। ସେ ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଓପନିଂ ବ୍ୟାଟର ଭାବେ ଦ୍ଵିଶତକ ଅର୍ଜନ କରିଥିଲେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଇଶାନଙ୍କୁ ଓପନିଂ ବ୍ୟାଟର ଭାବେ ସୁଯୋଗ ଦେବା ଉଚିତ୍ ବୋଲି କହିଛନ୍ତି, କାରଣ ସେ ନିଜର ନିର୍ଭୀକ ବ୍ୟାଟିଂରେ ଭାରତକୁ ମଜବୁତ ଆରମ୍ଭ ଦେବାର ସାମର୍ଥ୍ୟ ରଖିଛନ୍ତି।

ଯଦି କିଷନ ଓପନିଂ କରନ୍ତି ତେବେ ଗିଲକୁ ତୃତୀୟ ଏବଂ ବିରାଟ କୋହଲିଙ୍କୁ ଚତୁର୍ଥରେ ବ୍ୟାଟିଂ କରିବାକୁ ପଡ଼ିପାରେ। ଏହାର ଅର୍ଥ ଆହତ ସମସ୍ୟାରୁ ମୁକୁଳିଥିବା ଶ୍ରେୟସ ଆୟର ନମ୍ବର ୫ରେ ବ୍ୟାଟିଂ କରିବେ। ଏମିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଷଷ୍ଠରେ ବ୍ୟାଟିଂ କରିବେ, ଆଉ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ କୌଣସି ସ୍ଥାନ ରହିବ ନାହିଁ।

ସୂର୍ଯ୍ୟକୁମାର ଅଦ୍ୟାବଧି ଦିନିକିଆରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ଯଦି ଦଳ ପ୍ରବନ୍ଧକ ତାଙ୍କୁ ଚୂଡାନ୍ତ ଏକାଦଶରେ ରଖିବାକୁ ଚାହିଁବେ ତେବେ ଆୟରଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହା ବ୍ୟତୀତ ଭାରତ ଅନ୍ୟ ଏକ ବିକଳ୍ପ ଉପରେ କାମ କରିପାରେ। ଇଶାନ କିଷନଙ୍କୁ ନମ୍ବର ୩ରେ ବ୍ୟାଟିଂ କରାଇପାରେ। ଏହା ପରେ କୋହଲି ଚତୁର୍ଥ ଏବଂ ଆୟର ପଞ୍ଚମରେ ବ୍ୟାଟିଂ ପାଇଁ ଓହ୍ଲାଇବେ। ଏମିତି ସ୍ଥିତିରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଇନିଂସ ଓପନ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ