Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ଆଦିତ୍ୟ ଏଲ-୧, ପ୍ରଥମ କକ୍ଷ ପରିବର୍ତ୍ତନ ସଫଳ

ନୂଆଦିଲ୍ଲୀ: ଭାରତର ମହତ୍ଵାକାଂକ୍ଷୀ ସୌର ମିଶନ ଆଦିତ୍ୟ ଏଲ-୧ କୁ ନେଇ ଇସ୍ରୋ ବଡ଼ ସୂଚନା ଦେଇଛି। ଆଦିତ୍ୟ ଏଲ-୧ ଆଜି ପ୍ରଥମ ଥର ନିଜର କକ୍ଷ ପରିବର୍ତ୍ତନ କରିଛି। ଏହା ୨୩୫ x ୧୯୫୦୦ କିଲୋମିଟର କକ୍ଷରୁ ସଫଳତାପୂର୍ବକ ୨୪୫ କିଲୋମିଟର୍‌ x ୨୨୪୫୯ କିଲୋମିଟର କକ୍ଷରେ ପହଞ୍ଚିଛି। ଫଳରେ ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଛି ଆଦିତ୍ୟ ଏଲ-୧ । 16 ଦିନ ଭିତରେ ଏହା ଥର ନିଜର କକ୍ଷ ବଦଳାଇବା ପରେ ଏଲ 1 ପଏଣ୍ଟକୁ ଲମ୍ଫ ମାରିବ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆଉ ଏକ ଇତିହାସ ରଚିଛି। ଉତ୍ସାହରେ ଭରପୂର ଇସ୍ରୋ ଆଜି ଦିନ ୧୧ଟା ୫୦ ମିନିଟରେ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୭ ଜରିଆରେ ଆଦିତ୍ୟ-ଏଲ୧କୁ ସଫଳତାପୂର୍ବକ ଉତକ୍ଷେପଣ କରିଛି। ସୂର୍ଯ୍ୟର ଅଧ୍ୟୟନ କରିବା ଏହି ମିଶନର ଉଦ୍ଦେଶ୍ୟ। ଉତକ୍ଷେପଣର ଏକ ଘଣ୍ଟା ପରେ ଆଦିତ୍ୟ-ଏଲ୧ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପିତ ହୋଇଛି। ଏହାକୁ ଇସ୍ରୋର କମାଣ୍ଡିଂ ସେଣ୍ଟରରୁ ନିୟନ୍ତ୍ରଣ କରାଯାଉଛି। ଧିରେ ଧିରେ ଆଦିତ୍ୟ ଏଲ-୧ ନିଜର କକ୍ଷରେ ଆଉ ଚାରି ଥର ପରିବର୍ତ୍ତନ କରିବ। ସେପ୍ଟେମ୍ବର 5ରେ ଏହା ନିଜର ଦ୍ଵିତୀୟ କକ୍ଷ ପଥ ପରିବର୍ତ୍ତନ କରିବ। ପଞ୍ଚମ କକ୍ଷ ପଥ ପରିବର୍ତ୍ତନ ପରେ ଅର୍ଥାତ 16 ଦିନ ପୂରା ହେବା ମାତ୍ରେ ଏହା ସୂର୍ଯ୍ୟ ଅଭିମୁଖେ ଗତି କରିବ।

ଆଦିତ୍ୟ ଏଲ-୧ ୧୫ ଲକ୍ଷ କିମି ଦୂରତା ଚାରି ମାସରେ ଅତିକ୍ରମ କରି ଲାଗ୍ରାଞ୍ଜିଆନ ପଏଣ୍ଟ-୧ରେ ଅବସ୍ଥାପିତ ହେବ। ଏହା ଏକ ଏମିତି ପଏଣ୍ଟ ଯେଉଁଠି ପୃଥିବୀର ଅାକର୍ଷଣ ଶେଷ ହେଉଥିବା ବେଳେ ସୂର୍ଯ୍ୟର ଆକର୍ଷଣ ଆରମ୍ଭ ହୁଏ। ତେଣୁ ଏଠାରେ କୌଣସି ବି ଜିନିଷକୁ ଅଧିକ ସମୟ ରହିବା ପାଇଁ ଉର୍ଜାର ଅାବଶ୍ୟକତା ପଡ଼ି ନ ଥାଏ।

ଭାରତର ମହତ୍ଵାକାଂକ୍ଷୀ ମିଶନ ହେଉଛି ଆଦିତ୍ୟ ଏଲ-୧ । ଏଲ-୧ ପଏଣ୍ଟରେ ସ୍ଥାପିତ ଏକ ଉପଗ୍ରହର ସବୁଠୁ ବଡ଼ ସୁବିଧା ହେଉଛି ଏହା କୌଣସି ପ୍ରକାରର ମହାଜାଗତିକ ଘଟଣା ବା ଗ୍ରହଣଜନିତ ବାଧା ବ୍ୟତିରକେ ସୂର୍ଯ୍ୟକୁ ନିରବଚ୍ଛିନ୍ନ ଭାବେ ନିରୀକ୍ଷଣ କରି ପାରିବ। ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ବାହ୍ୟସ୍ତର କରୋନା ଉପରେ ପର୍ଯ୍ୟବେକ୍ଷଣ କରିବା ପାଇଁ ଏଥିରେ ୭ଟି ପେଲୋଡ ରହିଛି। ମହାକାଶ ପାଣିପାଗ ଓ ପୃଥିବୀ ଉପରେ ଏହାର ପ୍ରଭାବ ଆଦି ଉପରେ ଏଗୁଡ଼ିକ ତଥ୍ୟ ସଂଗ୍ରହ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ