ରୁଷ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେଲା ଭଙ୍ଗ; ଆମେରିକାକୁ ଲାଗିଲା ଶକ୍ତ ଝଟକା
ମସ୍କୋ,୨୮|୧୦: ବିଶ୍ୱରେ ଟାରିଫ ସହିତ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେଉଛି | ଏହି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଏକ ଶକ୍ତ ଝଟକା ଦେଇଛନ୍ତି | ଆମେରିକା ସହିତ ହୋଇଥିବା ପ୍ଲୁଟୋନିୟମ ଚୁକ୍ତିନାମାକୁ ବାତିଲ କରିଛନ୍ତି | ଏହି ଚୁକ୍ତି ଅନୁଯାଇ ଉଭୟ ଆମେରିକା ଏବଂ ରୁଷ ପରମାଣୁ ପରୀକ୍ଷଣ କରିପାରିବେ ନାହିଁ | କିନ୍ତୁ ପରବର୍ତ୍ତୀ ସମୟରେ ରୁଷ ଏହି ଚୁକ୍ତିକୁ ଭଙ୍ଗ କରିବାର ସୂଚନା ମିଳିଛି |
ଆମେରିକା ବହୁତ ଦିନ ଧରି ରୁଷ ବିପକ୍ଷରେ ଆଲୋଚନା କରୁଥିଲା| ଏହି ଟାରିଫର ଲଢେଇ ମଧ୍ୟରେ ଭାରତକୁ ମଧ୍ୟ ସାମିଲ କରିଥିଲେ ଡୋନାଲ ଟ୍ରମ୍ପ | ଭାରତ କିପରି ରୁଷଠାରୁ ନିଜର ବ୍ୟବସାୟକୁ କମାଇବ ତାହାର ବ୍ୟବସ୍ଥା ମଧ୍ୟ କରିଥିଲା | ଦିନକୁ ଦିନ ଟାରିଫର ପ୍ରତିଶତ ବଢ଼ିବାରେ ଲାଗିଥିଲା ଏବଂ ଭାରତର ରୁଷ ସହିତ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ମଧ୍ୟ ବାତିଲ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ ବରଂ ଭାରତ ଏବଂ ଆମେରିକା ମଧ୍ୟରେ ବିବାଦ ସୃଷ୍ଟି ହେଲା |
ସୂତ୍ରରୁ ଜଣାପଡିଛି ଯେ ପୁଟିନ ଏବେ ଟ୍ରମ୍ପଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ପୁଟିନଙ୍କ ଦ୍ୱାରା ସ୍ବାକ୍ଷରିତ ଆଇନକୁ ଏହି ମାସ ଆରମ୍ଭରେ ରୁଷିଆ ସଂସଦ ଦ୍ୱାରା ଅନୁମୋଦନ କରାଯାଇଥିଲା। ଅନ୍ୟପକ୍ଷେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି | ଏହି ଯୁଦ୍ଧରେ ଆମେରିକା ସମେତ ଅନ୍ୟ ଦେଶ ମଧ୍ୟ ୟୁକ୍ରେନର ଏହି ଯୁଦ୍ଧରେ ସାଥ୍ ଦେଉଛନ୍ତି | ଏହାକୁ ଦୃଷ୍ଟିରେ ରଖି ରୁଷ ନିଜର ପରମାଣୁକୁ ସୁରକ୍ଷିତର ସହିତ ରଖିଛି | ଅତୀତରେ ସେପ୍ଟେମ୍ବର ୨୦୦୦ରେ ରୁଷିଆ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ଚୁକ୍ତି ହୋଇଥିଲା, ଯାହା ଅନୁଯାୟୀ ଉଭୟ ଦେଶ ୩୪ ଟନ ଅସ୍ତ୍ରଶସ୍ତ୍ର ବ୍ୟବହୃତ୍ ପ୍ଲୁଟୋନିୟମ ନଷ୍ଟ କରିଥିଲେ। ତଥାପି ମସ୍କୋ ଅକ୍ଟୋବର ୨୦୧୬ରେ ଏହି ଚୁକ୍ତିକୁ ବାତିଲ କରିଥିଲା। ଆମେରିକା ରୁଷିଆ ବିରୁଦ୍ଧରେ ଏହି ପଦକ୍ଷେପକୁ ବିଚାର କରିଥିଲା ଏବଂ ଏହାକୁ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ ବୋଲି କହିଥିଲା।
ପୁଟିନଙ୍କ ଆମେରିକା ସହିତ ଚୁକ୍ତି ବାତିଲ କରିବା ପରେ ରୁଷିଆ ନିଜର ସମ୍ପ୍ରତି ପରମାଣୁ ଶକ୍ତି ସମ୍ପନ୍ନ ବୁରେଭେଷ୍ଟନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି| ଯାହାକୁ ଅତ୍ୟନ୍ତ ଘାତକ ବୋଲି ବିବେଚନା କରାଯାଉଛି। ଏହି କାରଣରୁ, ଆମେରିକା ସହିତ ରୁଷର ଚୁକ୍ତି ବାତିଲ କରିବାର ନିଷ୍ପତ୍ତିକୁ ଗମ୍ଭୀରତାର ସହ ନିଆଯାଉଛି। ଆଗାମୀ ଭବିଷ୍ୟତରେ ଏହି ନିଷ୍ପତିର ପରିଣାମ କେଉଁ ରୂପ ନେବ ତାହା ଦେଖିବା ବାକି ଅଛି |

