Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା ବିଶ୍ଵକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଅଜିତ ଅଗକରରଙ୍କ ନେତୃତ୍ଵାଧୀନ ଜାତୀୟ ଚୟନକର୍ତ୍ତା ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ରୋହିତ ଶର୍ମା ବିଶ୍ଵକପ୍ ଦଳର ନେତୃତ୍ଵ ନେଉଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିଛି। ଏସିଆ କପରେ ଖେଳୁଥିବା ପ୍ରାୟ ସମସ୍ତ ଖେଳାଳିଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିଛି। ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ।

ଏସିଆ କପର ସତର ଜଣିଆ ଦଳରୁ ପ୍ରସିଦ୍ଧ କୃଷ୍ଣ ଓ ତିଳକ ବର୍ମାଙ୍କୁ ବିଶ୍ଵକପ୍ ଦଳରୁ ବାଦ୍ ଦିଆଯାଇଛି। ଏପରିକି ଦଳରେ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସ୍ଥାନ ମିଳିନି। ଏସିଆ କପରେ ଗୋଟିଏ ବି ମ୍ୟାଚ୍ ଖେଳି ନ ଥିବା ଲୋକେଶ ରାହୁଲଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିଛି। ସେହିପରି ଭାରତୀୟ ଦଳ ସହ ଭ୍ରମଣ କରୁଥିବା ସଞ୍ଜୁ ସାମସନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଆଶାନୁରୂପ ଭାବେ ସ୍ପିନ ବୋଲିଂରେ କୁଲଦୀପ ଯାଦବ ପ୍ରଥମ ପସନ୍ଦ ବୋଲର ହିସାବରେ ନିଜର ସ୍ଥାନ ବଜାୟ ରଖିଛନ୍ତି।

ବିଶ୍ଵକପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି।

ଆଇସିସି ନିୟମ ଅନୁଯାୟୀ, ବିଶ୍ଵକପ୍ ପାଇଁ କୌଣସି ବି ଦେଶ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ନିଜର ଦଳରେ ପରିବର୍ତ୍ତନ କରି ପାରିବେ। ଏହା ପୂର୍ବରୁ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଦଳଗୁଡ଼ିକୁ ନିଜର ୧୫ ଜଣିଆ ଟିମର ନାମ ଆଇସିସିକୁ ଦେବାକୁ ପଡ଼ିବ।

ଆଇସିସି ବିଶ୍ଵକପ୍ ୨୦୨୩ ଭାରତରେ ଖେଳାଯିବ। ଉଦଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ବିଶ୍ଵକପରେ ଅକ୍ଟୋବର ୧୪ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ