ନୂଆଦିଲ୍ଲୀ: ସୂର୍ଯ୍ୟ ମିଶନରେ ଆଗକୁ ବଢୁଥିବା ଆଦିତ୍ୟ-ଏଲ୧ ମହାକାଶରୁ ସେଲଫି ପଠାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ଏହାର ସୂଚନା ଦେଇଛି। ଏହା ପୂର୍ବରୁ ମଙ୍ଗଳବାର ଆଦିତ୍ୟ-ଏଲ୧ ସଫଳତାପୂର୍ବକ ଦ୍ଵିତୀୟ କକ୍ଷପଥ ବଦଳାଇଥିଲା। ଏହାକୁ ସେପ୍ଟେମ୍ବର ୨ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵାନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା।
ଇସ୍ରୋ ଗୁରୁବାର ଟୁଇଟ୍ କରି ଜଣାଇଛି ଯେ, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏଲ-୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ-ଏଲ୧ ସେଲଫି ନେଇଛି, ଯେଉଁଥିରେ ପୃଥିବୀ ଓ ଚନ୍ଦ୍ରର ଛବି ନଜର ଆସିଛି। ଆଦିତ୍ୟ ଏଲ-୧ ୧୫ ଲକ୍ଷ କିମି ଦୂରତା ଚାରି ମାସରେ ଅତିକ୍ରମ କରି ଲାଗ୍ରାଞ୍ଜିଆନ ପଏଣ୍ଟ-୧ରେ ଅବସ୍ଥାପିତ ହେବ। ଏହା ଏକ ଏମିତି ପଏଣ୍ଟ ଯେଉଁଠି ପୃଥିବୀର ଆକର୍ଷଣ ଶେଷ ହେଉଥିବା ବେଳେ ସୂର୍ଯ୍ୟ ଆକର୍ଷଣ ଆରମ୍ଭ ହୁଏ। ତେଣୁ ଏଠାରେ କୌଣସି ବି ଜିନିଷକୁ ଅଧିକ ସମୟ ରହିବା ପାଇଁ ଉର୍ଜାର ଆବଶ୍ୟକତା ପଡ଼ି ନ ଥାଏ।
ଭାରତର ମହତ୍ଵାକାଂକ୍ଷୀ ମିଶନ ହେଉଛି ଆଦିତ୍ୟ ଏଲ-୧ । ଏଲ-୧ ପଏଣ୍ଟରେ ସ୍ଥାପିତ ଏକ ଉପଗ୍ରହର ସବୁଠୁ ବଡ଼ ସୁବିଧା ହେଉଛି ଏହା କୌଣସି ପ୍ରକାରର ମହାଜାଗତିକ ଘଟଣା ବା ଗ୍ରହଣଜନିତ ବାଧା ବ୍ୟତିରକେ ସୂର୍ଯ୍ୟକୁ ନିରବଚ୍ଛିନ୍ନ ଭାବେ ନିରୀକ୍ଷଣ କରି ପାରିବ। ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ବାହ୍ୟସ୍ତର କରୋନା ଉପରେ ପର୍ଯ୍ୟବେକ୍ଷଣ କରିବା ପାଇଁ ଏଥିରେ ୭ଟି ପେଲୋଡ ରହିଛି। ମହାକାଶ ପାଣିପାଗ ଓ ପୃଥିବୀ ଉପରେ ଏହାର ପ୍ରଭାବ ଆଦି ଉପରେ ଏଗୁଡ଼ିକ ତଥ୍ୟ ସଂଗ୍ରହ କରିବ।