Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Asia Cup: ପ୍ରଶଂସକଙ୍କ ପାଇଁ ଖୁସି ଖବର, ଭାରତ ବନାମ ପାକିସ୍ତାନ ମୁକାବିଲା ପାଇଁ ରହିବ ରିଜର୍ଭ ଡେ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର। କଲୋମ୍ବୋରେ ବର୍ଷାକୁ ଦୃଷ୍ଟିରେ ରଖି ଏସୀୟ କ୍ରିକେଟ୍ ପରିଷଦ(ଏସିସି) ସେପ୍ଟେମ୍ବର ୧୦ରେ ହେବାକୁ ଥିବା ବଡ଼ ମୁକାବିଲା ପାଇଁ ରିଜର୍ଭ ଡେ ରଖିବାର ନିଷ୍ପତ୍ତି ନେଇଛି। କ୍ରିକେଟ୍ ପାକିସ୍ତାନର ଖବର ଅନୁଯାୟୀ, ଯଦି ୧୦ ତାରିଖରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପୂରା ନହୁଏ ତେବେ ସେପ୍ଟେମ୍ବର ୧୧ ତାରିଖରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ।

ଏମିତି ହେଲେ ଟିମ୍ ଇଣ୍ଡିଆକୁ ୧୧ ତାରିଖ ପରେ ପୁଣି ୧୨ ତାରିଖରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡ଼ିବ। ସୁପର-୪ରେ କେବଳ ଭାରତ-ପାକିସ୍ତାନ ମୁକାବିଲା ପାଇଁ ଏହି ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି। ଅନ୍ୟ କୌଣସି ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ ତାକୁ ରଦ୍ଦ କରାଯିବ। ଏଥିସହ ଫାଇନାଲ୍ ପାଇଁ ମଧ୍ୟ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି।

ଏସିଆ କପ ୨୦୨୩ର ଗ୍ରୁପ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା। ପାଲ୍ଲିକଲରେ ଖେଳା ଯାଇଥିବା ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ବର୍ଷା ଯୋଗୁଁ ପାକିସ୍ତାନ ଇନିଂସରେ ଗୋଟିଏ ବି ବଲ୍ ପଡ଼ି ପାରି ନ ଥିଲା। ଫଳରେ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଥିଲା।

ସେପ୍ଟେମ୍ବର ୧୦ରେ ଏହି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଏଥର ଏହି ବହୁପ୍ରତୀକ୍ଷିତ ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଆଗାମୀ ଦୁଇ ସପ୍ତାହ କଲୋମ୍ବୋରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏସିସି ଏମିତି ନିଷ୍ପତ୍ତି ନେଇଛି। ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ