ଖଲ୍ଲିକୋଟ ଥାନା ସମ୍ମୁଖରେ ଭୟଙ୍କର ସଡକ ଦୁର୍ଘଟଣା, କାର-ଅଟୋ ମୁହାଁମୁହିଁ ଧକ୍କା,୬ ଆହତ,୪ଗୁରୁତର, ସହାୟତା ଯୋଗାଇ ଦେଲେ ଖଲ୍ଲିକୋଟ ମିଡ଼ିଆ କ୍ଲବ ସଦସ୍ୟ


ଖଲ୍ଲିକୋଟ–୮/୯–ଆଜି ଅପରାହ୍ନ ୩ ଟାରେ ଖଲ୍ଲିକୋଟ ଥାନା ସମ୍ମୁଖରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା ।ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଅଟୋ ଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାର ର ଦୁଇଟି ଯାକ ବେଲୁନ ବାହାରି ପଡିଥିଲା ।ଅଟୋ ରେ ବସିଥିବା ଯାତ୍ରୀ ମାନେ ଛିଟିକି ଯାଇ ଅଟୋ ଆଗରେ ପଡ଼ିଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁ ଗାଁ ର କୁମୁଦିନି ଶତପଥୀ ଙ୍କ ଦେହ ଖରାପ ହେବାରୁ ଆଜି ଅପରାହ୍ନ ୩ ଟାରେ ସେ ଚିକିତ୍ସା ପାଇଁ ଏକ ଅଟୋ ନମ୍ବର ଓଡ଼ି ୨୨ ଆର ୧୭୪୪ ଯୋଗେ ଖଲ୍ଲିକୋଟ ମେଡ଼ିକାଲ କୁ ଆସୁଥିଲେ ।ସାଙ୍ଗରେ ନାତି ଆୟୁଷ ଶତପଥୀ ଓ ଆଶାକର୍ମୀ ମମତା ଶତପଥୀ ମଧ୍ୟ ସେହି ଅଟୋ ରେ ଥିଲେ ।ସେହି ସମୟରେ ବୁଗୁଡା ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ କାର ନମ୍ବର ଓଡ଼ି ୦୨ ସି ଇ ୮୯୯୭ ଖଲ୍ଲିକୋଟ ଥାନା ସମ୍ମୁଖରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରଖାଯାଇଥିବା ବ୍ୟାରିକେଡ କୁ ଅତିକ୍ରମ କରିବାକୁ ଯାଇ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଧକ୍କା ଯୋଗୁଁ ଏତେ ଜୋରରେ ଶବ୍ଦ ହୋଇଥିଲା ଯେ, ନିକଟରେ ଥିବା ଅତିଥି ରେଷ୍ଟୁରାଣ୍ଟ ରେ ଖଲ୍ଲିକୋଟ ମିଡ଼ିଆ କ୍ଲବ ର ବୈଠକ ଚାଲିଥିବା ବେଳେ ଶବ୍ଦ ଶୁଣି ମିଡ଼ିଆ କ୍ଲବ ର ସମସ୍ତ ସାମ୍ବାଦିକ ଦୌଡ଼ି ଆସିଥିଲେ ।ଦୁର୍ଘଟଣା ରେ ଭାଙ୍ଗିରୁଜି ଦୁଇଟି ଯାକ ଗାଡ଼ି ପଡିଥିବା ବେଳେ ଆହତ ମାନେ ରାସ୍ତା ଉପରେ ବିଛାଡି ହୋଇ ପଡ଼ିଥିଲେ ।ତୁରନ୍ତ ସାମ୍ବାଦିକ ମାନେ ୧୦୮ ଆମ୍ବୁଲାନ୍ସ ଓ ଅନ୍ୟ ଏକ ଅଟୋ ରେ ଆହତ ମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ।କୁମୁଦିନି ଶତପଥୀ, ତାଙ୍କ ନାତି ଆୟୁଷ ଶତପଥୀ, ଆଶାକର୍ମୀ ମମତା ଶତପଥୀ ଓ ଅଟୋ ଡ୍ରାଇଭର ଅଶୋକ ମହାପାତ୍ର ଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । କାର ଡ୍ରାଇଭର ନାରାୟଣ ଗୌଡ଼ ଓ କାର ରେ ବସିଥିବା କେ. ସୁଦର୍ଶନ ରେଡି ଖଲ୍ଲିକୋଟ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି ।ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିବା କୁମୁଦିନି ଶତପଥୀ ଙ୍କ ସ୍ୱାମୀ ଙ୍କ ଗତ ଚାରି ଦିନ ତଳେ ମୃତ୍ୟୁ ହୋଇଥିଲା ।