Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆ କପ୍ ଫାଇନାଲ୍ ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଲା ବଡ଼ ଝଟକା, ବାଦ୍ ପଡ଼ିଲେ ଏହି ଷ୍ଟାର ବୋଲର

କଲୋମ୍ଵୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ରବିବାର ଏସିଆ କପ୍ ୨୦୨୩ର ଫାଇନାଲ୍ ମୁକାବିଲା ଖେଳାଯିବ। ତେବେ ଏହା ପୂର୍ବରୁ ଶ୍ରୀଲଙ୍କା ଦଳକୁ ଲାଗିଛି ବହୁତ ବଡ଼ ଝଟକା। ଦଳର ତାରକା ସ୍ପିନର ମହୀଶ ତିକ୍ଷଣା ଆହତ କାରଣରୁ ଟାଇଟଲ୍ ମୁକାବିଲାରୁ ବାଦ୍ ପଡ଼ିଛନ୍ତି। ଗୁରୁବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କୁ ଆଘାତ ଲାଗିଥିଲା। ଫିଲ୍ଡିଂ ସମୟରେ ତୀକ୍ଷଣାଙ୍କ ଡାହାଣ ପାଦର ମାଂସପେଶୀ ଟାଣି ଧରିଥିଲା।

ତୀକ୍ଷଣା ପାକିସ୍ତାନ ବିପକ୍ଷ ମୁକାବିଲାରେ ଅନେକ ଥର ଛୋଟେଇ ଛୋଟେଇ ଚାଲିଥିଲେ। ଆହତ ସତ୍ଵେ ସେ ୪୨ ଓଭରର ମ୍ୟାଚରେ ନିଜର ୯ ଓଭରର ବୋଲିଂ କୋଟା ପୂରା କରିଥିଲେ। ୪୨ ରନ ବ୍ୟୟ କରି ଗୋଟିଏ ଓ୍ଵିକେଟ୍ ନେଇଥିଲେ। ପାକିସ୍ତାନ ଇନିଂସର ୩୯ ତମ ଓଭରରେ ଦଳର ଅନ୍ୟ ସଦସ୍ୟ ତାଙ୍କୁ ଧରି ପଡ଼ିଆ ବାହାରକୁ ଆଣିଥିଲେ। ଶ୍ରୀଲଙ୍କା କର ବା ମର ମୁକାବିଲାରେ ପାକିସ୍ତାନକୁ ୨ ଓ୍ଵିକେଟରେ ହରାଇ ଫାଇନାଲରେ ପହଞ୍ଚିଛି।

ତୀକ୍ଷଣାଙ୍କ ଆହତ ଶ୍ରୀଲଙ୍କାର ମୁସ୍କିଲକୁ ଆହୁରି ବଢାଇ ଦେଇଛି। କାରଣ ଦାସୁନ ଶନାକାଙ୍କ ଦଳରେ ଅନେକ ତାରକା ଖେଳାଳି ଆହତ ଅଛନ୍ତି। ଓ୍ଵାନିନ୍ଦୁ ହସରଙ୍ଗା, ଦୁଷ୍ମନ୍ତା ଚମିରା, ଲାହିରୁ ମଦୁଶଙ୍କା ଲାହିରୁ କୁମାରଙ୍କ ପରି ଗୁରୁତ୍ଵପୂର୍ଣ୍ଣ ଖେଳାଳି ଆହତ କାରଣରୁ ଏସିଆ କପରୁ ବାଦ୍ ପଡିଛନ୍ତି। ତେବେ ଭାରତରେ ଅକ୍ଟୋବରରେ ଆରମ୍ଭ ହେଉଥିବା ଦିନିକିଆ ବିଶ୍ଵକପ୍ ୨୦୨୩ ପୂର୍ବରୁ ଏହି ସବୁ ଖେଳାଳି ଫିଟ୍ ହେବାର ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ