Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ରୋହିତ ଓ କୋହଲିଙ୍କ ସ୍ଥାନରେ କିଏ ଖେଳିବ ?

ମୋହାଲି: ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ମୋହାଲିରେ ଖେଳାଯିବ। ବିଶ୍ଵକପ୍ ଆରମ୍ଭ ହେବାକୁ ଆଉ କେଇଟା ଦିନ ବାକି ଥିବାରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାକୁ ଭାରତୀୟ ଦଳ ପାଇଁ ଏହି ସିରିଜ୍ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ସିରିଜ୍ ସମୟରେ ଭାରତୀୟ ଦଳକୁ ଶ୍ରେୟସ ଆୟରଙ୍କ ଫିଟନେସ୍, ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଓ ଅକ୍ଷର ପଟେଲଙ୍କ ବଦଳ ଖେଳାଳି କିଏ ହେବ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ। ଏହା ବ୍ୟତୀତ ସେହି ଖେଳାଳିଙ୍କ ଉପରେ ମଧ୍ୟ ନଜର ରହିବ ଯିଏ ପ୍ରଥମ ଦୁଇଟି ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସ୍ଥାନରେ ଖେଳିବେ। ବିସିସିଆଇ ପ୍ରଥମ ଦୁଇଟି ଦିନିକିଆରେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେଇଛି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶୁଭମନ ଗିଲଙ୍କ ସହିତ ଇନିଂସ ଓପନ କରି ପାରନ୍ତି ଋତୁରାଜ ଗାଏକଓ୍ଵାଡ଼। ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରିବା ପୂର୍ବରୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବା ପାରେ ଏସୀୟ କ୍ରୀଡ଼ା ପାଇଁ ଚୀନ ଯାତ୍ରା କରିବେ। ଦଳର କମ୍ବିନେସନକୁ ସ୍ଥିର ରଖିବା ପାଇଁ ଦଳ ପ୍ରବନ୍ଧକ ଇଶାନ କିଶନଙ୍କ ବ୍ୟାଟିଂ ଅର୍ଡରରେ କୌଣସି ଅଦଳବଦଳ କରିବାକୁ ଚାହିଁବେ ନାହିଁ। ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଇଶାନ ନିକଟରେ ଏସିଆ କପରେ ନମ୍ବର-୫ରେ ବ୍ୟାଟିଂ କରିଥିଲେ। ଆଗାମୀ ବିଶ୍ଵକପରେ ମଧ୍ୟ ଆବଶ୍ୟକ ପଡ଼ିଲେ ସେ ମଧ୍ୟକ୍ରମରେ ବ୍ୟାଟିଂ କରି ପାରନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲିଙ୍କ ସ୍ଥାନରେ କିଏ ଖେଳିବ ତାହା ସବୁଠୁ ବଡ଼ ପ୍ରଶ୍ନ। ଏସିଆ କପରେ କୋହଲିଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ନମ୍ବର-୩ରେ ବ୍ୟାଟିଂ କରିବାର ସୁଯୋଗ ଦିଆ ଯାଇଥିଲା। ଯଦି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଶ୍ରେୟସ ଆୟର ସଂପୂର୍ଣ୍ଣ ଫିଟ୍ ତେବେ ସେ ନମ୍ବର-୩ରେ ବ୍ୟାଟିଂ କରି ପାରନ୍ତି। ଆୟର ଆହତ କାରଣରୁ ଅନେକ ମ୍ୟାଚ୍ ଖେଳି ପାରି ନାହାନ୍ତି। ତେଣୁ ଦଳ ପ୍ରବନ୍ଧକ ବିଶ୍ଵକପ୍ ପୂର୍ବରୁ ତାଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚାହାନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଶ୍ରେୟସ ଆୟର ଏସିଆ କପରେ ପାକିସ୍ତନ ବିପକ୍ଷ ମ୍ୟାଚ୍ ଖେଳିଥିଲେ। ମାତ୍ର ପୁଣି ଥରେ ଆହତ ସମସ୍ୟା କାରଣରୁ ସେ ପୂରା ଟୁର୍ଣ୍ଣାମେଣ୍ଟ ଖେଳି ପାରି ନଥିଲେ। ରୋହିତ ଶର୍ମା କହିଛନ୍ତି, ଆୟର ଯଦି ୯୯ ପ୍ରତିଶତ ଫିଟ୍ ତେବେ ଏହା ଦେଖିବାକୁ ପଡ଼ିବ ଯେ, ବିଶ୍ଵକପ୍ ପୂର୍ବରୁ ଦଳ ତାଙ୍କୁ କେମିତି ଉପଯୋଗ କରୁଛି। ଯଦି ଆୟର ଫିଟ୍ ନାହାନ୍ତି ତେବେ ତିଳକ ବର୍ମା ନମ୍ବର-୩ରେ ବ୍ୟାଟିଂ କରି ପାରନ୍ତି।