Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ଖେଳିବେ ନାହିଁ ଏହି ୨ ଖେଳାଳି, ବିସିସିଆଇ ଦେଲା ବିଶ୍ରାମ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ ପୂର୍ବରୁ ବିସିସିଆଇ ଦଳର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ରାମ ଦେଇଥିଲା। ଏହା ପରେ ଯଶପ୍ରୀତ ବୁମରାଙ୍କୁ ଦ୍ଵିତୀୟ ମ୍ୟାଚରେ ଆରାମ ଦିଆଗଲା। ଏବେ ତୃତୀୟ ଦିନିକିଆରେ ଦୁଇ ଖେଳାଳିଙ୍କୁ ଛୁଟିରେ ପଠାଇଛି ଭାରତୀୟ ଦଳ।

ଓପନର ଶୁଭମନ ଗିଲ୍ ଓ ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ନାହିଁ। କାରଣ ଦଳ ପ୍ରବନ୍ଧକ ଉଭୟଙ୍କୁ କିଛି ସମୟ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇ ଖେଳାଳି ତୃତୀୟ ମ୍ୟାଚ୍ ପାଇଁ ରାଜକୋଟ୍ ଉଡ଼ାଣ ଭରିବେ ନାହିଁ। ଉଭୟ ଗୌହାଟୀରେ ଦଳ ସହ ଯୋଗ ଦେବେ, ଯେଉଁଠି ଭାରତ ନିଜର ଦିନିକିଆ ବିଶ୍ଵକପର ଅଭିଯାନ ଅଭ୍ୟାସ ମ୍ୟାଚରୁ ଆରମ୍ଭ କରିବ।

ଇନ୍ଦୋର ଦିନିକିଆରେ ଶତକ ଅର୍ଜନ କରିଥିବା ଶୁଭମନ ଗିଲ୍ ଓ ଶାର୍ଦ୍ଦୁଳ ଠାକୁର ନିଜ ଘରକୁ ଫେରିବେ ଓ ଶୀଘ୍ର ଦଳରେ ଯୋଗ ଦେବେ। ଇଣ୍ଡିଆନ ଏକ୍ସପ୍ରେସ୍ ଅନୁଯାୟୀ, ଦଳ ପ୍ରବନ୍ଧକ ଗତ କିଛି ସମୟରୁ ଖେଳାଳିଙ୍କ ଓ୍ଵାର୍କଲୋଡ୍ ଉପରେ କାମ କରୁଛି। ଏହି କାରଣରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହି ବରିଷ୍ଠ ଖେଳାଳି ରାଜକୋଟ୍ ଦିନିକିଆରେ ଦଳରେ ଯୋଗ ଦେବେ।

ଯଶପ୍ରୀତ ବୁମରା ମଧ୍ୟ ତୃତୀୟ ଦିନିକିଆରେ ଦଳରେ ଉପଲବ୍ଧ ରହିବେ। ସେ ମୋହାଲିରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ଘରକୁ ଚାଲି ଯାଇଥିଲେ। ଏବେ ସେ ସିଧାସଳଖ ରାଜକୋଟରେ ଦଳ ସହ ଯୋଗ ଦେବେ। ସେପ୍ଟେମ୍ବର ୨୭ରେ ଶେଷ ଦିନିକିଆ ପରେ ଭାରତ ଦଳ ସିଧାସଳଖ ବିଶ୍ଵକପ୍ ୨୦୨୩ର ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏହି ମ୍ୟାଚ୍ ଗୌହାଟୀରେ ସେପ୍ଟେମ୍ବର ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ