Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଚ୍ଚନା ନାଗ ମାମଲା; ୪ କୋଟି ଟଙ୍କାର ବେଆଇନ ସମ୍ପତି ଆଟାଚ୍‌ କଲା ଇଡି

ଭୁବନେଶ୍ବର: ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ଶକ୍ତ ଝଟ୍‌କା। ଅର୍ଚ୍ଚନାଙ୍କ ନାଁରେ ଇଡି ୪ କୋଟି ଟଙ୍କାର ବେଆଇନ ସମ୍ପତି ଆଟାଚ୍‌ କରିଛି। ଅର୍ଚ୍ଚନାଙ୍କ ମାମଲା ଏବେ ବି କୋର୍ଟରେ ଚାଲିଛି। ଏହା ସତ୍ତ୍ବେ ବି ସେ ଏହି ସମ୍ପତି କେଉଁ ଉତ୍ସରୁ ଆଣିଲେ ସେ ନେଇ ତଦନ୍ତ ଚାଲିଛି ବୋଲି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇଛନ୍ତି।

ସମ୍ପ୍ରତି ସାରା ଦେଶରେ ନାର୍କୋଟକ୍ସ ମାମଲା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନାର୍କୋଟିକ୍ସ, ରିୟଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ବିପୁଳ ପରିମାଣରେ କଳାଧନ କାରବାର ହେଉଥିବା ଜଣାପଡ଼ିଛି। ଏହାକୁ ରୋକିବା ଲାଗି ସ୍ବତନ୍ତ୍ର କୋର୍ଟ ଗଠନ ହେବା ଉଚିତ ବୋଲି କହିଛନ୍ତି ଜଷ୍ଟିସ ପଶାୟତ। ଆସନ୍ତା ଜୁନ୍‌ ମାସରେ କଳାଧନ ସମ୍ପର୍କିତ ଏସଆଇଟିର ନବମ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଛନ୍ତି।

ଜଷ୍ଟିସ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏହି ଏସ୍‌ଆଇଟି ବୈଠକରେ ପ୍ରବର୍ତ୍ତନ ନିଦେଦ୍ଦେଶାଳୟ, ଆୟକର ବିଭାଗ, ଡାଇରେକ୍ଟ ଟ୍ୟାକ୍ସ ବିଭାଗ, ସେଣ୍ଟ୍ରାଲ ଏକ୍ସାଇସ ଓ କଷ୍ଟମ ଏବଂ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ, ସିଟି ଜିଏସ୍‌ଟି, କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ, ଏବଂ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।