ଜମନକିରା : ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡରେ ଆଜି ଉଚ୍ଚ ଶିକ୍ଷା ବ୍ୟବସ୍ଥା ଭୁସୁଡ଼ି ପଡିଛି। ଆଉ କିଛି ବର୍ଷ ପରେ ମହାବିଦ୍ୟାଳୟ ଗୁଡିକ ସ୍ଥାୟୀ ଅଧ୍ୟାପକ ଶୂନ୍ୟ ହୋଇଯିବେ। ଆଜି ଉପଖଣ୍ଡର ଅନ୍ୟତମ ମହାବିଦ୍ୟାଳୟ ଜମନକିରା ଯୁକ୍ତ ଦୁଇ ମହାବିଦ୍ୟାଳୟ ସ୍ଥାୟୀ ଅଧ୍ୟାପକ ଶୂନ୍ୟ ହୋଇ ଯାଇଛି। ଅନ୍ୟତ୍ର ଉପଖଣ୍ଡର ସର୍ବ ପୁରାତନ ମହାବିଦ୍ୟାଳୟ କୁଚିଣ୍ଡା ମହାବିଦ୍ୟାଳୟ ସ୍ଥାପନର ୫୦ ବର୍ଷରୁ ଅଧିକ ହୋଇଯାଇଥିଲେ ମଧ୍ୟ ଆଜିବି ନିଜସ୍ୱ ଭୁମି ଓ ପୂର୍ଣ୍ଣ ସରକାରୀ ମାନ୍ୟତା ପାଇଁ ଅପେକ୍ଷାରେ ଅଛି। ଏଭଳି ପରିସ୍ଥିତିର ସମାଧାନ ନକରି ସରକାର ଓ ଶାସନ ବ୍ୟବସ୍ଥା ନିଦ୍ରିତ ଅବସ୍ଥାରେ ଶୋଇ ରହିଛନ୍ତି। ଏଭଳି ମନ୍ତବ୍ୟ ରଖିଛି ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟ କୁଚିଣ୍ଡା। କୁଚିଣ୍ଡା କଲେଜର ପୂର୍ଣ୍ଣ ସରକାରୀ କରଣ ଭୂମି ପଟ୍ଟା ପ୍ରଦାନ ପି.ଜି ଓ ବି.ଇ.ଡି ପାଠ୍ୟ କ୍ରମର ପୁନଃ ପ୍ରଚଳନ, ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ସନ୍ତାନ ସନ୍ତତି ମାନଙ୍କର ସରକାରୀ ଶିକ୍ଷାନୁଷ୍ଠାନରେ ପଢିବା ବାଧ୍ୟତା ମୂଳକ କରିବା, କୁଚିଣ୍ଡା ଉପଖଣ୍ଡ ସଦର ମହକୁମାରେ ଏକ ମହିଳା ଡିଗ୍ରୀ କଲେଜ ସ୍ଥାପନ, ବାମରା ଓ କୁନ୍ତରା କଲେଜରେ ଯୁକ୍ତ ୩ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ କରିବା, ଜମନକିରା ମହାବିଦ୍ୟାଳୟରେ ଥିବା ବିଜ୍ଞାନ ପାଠ୍ୟକ୍ରମକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ଓ ଜମନକିରା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଖାଲିଥିବା ସମସ୍ତ ଅଧ୍ୟାପକ ପଦବୀ ପୁରା କରିବା ପରି ୫ ଦଫା ଦାବି ନେଇ ଆଜି ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟ କୁଚିଣ୍ଡା ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଛାତ୍ର ସାମ୍ମୁଖ୍ୟର ପ୍ରେସ ବିଜ୍ଞପ୍ତି ଅନୁସାରେ କୁଚିଣ୍ଡା ମହାବିଦ୍ୟାଳୟପରି ୧୧ ଗୋଟି ଆଦିବାସୀ ଅଧ୍ୟୁଷିତ ମହାବିଦ୍ୟାଳୟର ସରକାରୀ କରଣ କରାଯିବାର ପ୍ରସ୍ତାବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କ୍ୟାବିନେଟ ପାସ କରିଥିଲେ ହେଁ ତାହା ସରକାର କାର୍ଯ୍ୟକାରୀ କରୁନାହାନ୍ତି ଓଲଟା ଆଗରୁ ମହାବିଦ୍ୟାଳୟରେ ଚାଲୁଥିବା ପି.ଜି ଓ ବି.ଇ.ଡି ଶିକ୍ଷାକୁ ପୂର୍ବର ସରକାର ମାନେ ବିଭିର୍ଣ୍ଣ ସମୟରେ ବନ୍ଦ କରିଦେଇଛନ୍ତି। ସେହିପରି ବାରମ୍ବାର ଆନ୍ଦୋଳନପରେ କୁଚିଣ୍ଡା ମହାବିଦ୍ୟାଳୟର +୨ କ୍ୟାମ୍ପାସ ପାଇଁ ମାତ୍ର ୨.୫ ଏକର ଭୂମି ପ୍ରଦାନ କରିଦେଇ ଚୁପ ହୋଇ ବସି ରହିଛନ୍ତି। ମହାବିଦ୍ୟାଳୟ ଅଧିକୃତ ଅଧିକାଂଶ ଜାଗା ଜଙ୍ଗଲ କିସମ ଜମି ଅଟେ ଏହାକୁ ହସ୍ତାନ୍ତର କରିବାକୁ ହେଲେ କ୍ୟାବିନେଟ ମଞ୍ଜୁରୀର ଆବଶ୍ୟକତା ଅଛି ହେଲେ ଶାସନ କଳ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଅନ୍ୟତ୍ର ଗତ ଜୁଲାଇ ମାସରୁ ଉପଖଣ୍ଡର ଅନ୍ୟତମ ପ୍ରମୁଖ ମହାବିଦ୍ୟାଳୟ ଜମନକିରା ଯୁକ୍ତ ଦୁଇ ମହାବିଦ୍ୟାଳୟ ସ୍ଥାୟୀ ଅଧ୍ୟାପକ ଶୂନ୍ୟ ହୋଇଯାଇଛନ୍ତି। ଏପରି ପରିସ୍ଥିତିରେ ସମ୍ବଲପୁର ଜିଲ୍ଲାପାଳ ଯୁକ୍ତ ୩ କଲେଜର ଅଧ୍ୟକ୍ଷଙ୍କୁ ଅଧ୍ୟକ୍ଷ ଦାୟୀତ୍ୱ ଦେଇ ନିଜର କାମ ସାରି ଦେଇଛନ୍ତି ଖାଲି ପଦବୀ ପୂରଣ ଦିଗରେ କୌଣସି ପଦକ୍ଷେପ ନେବା ସେ ଜରୁରୀ ଭାବି ନାହାନ୍ତି। ସୂଚନା ଅନୁସାରେ ଜମନକିରା ପରି ମହାବିଦ୍ୟାଳୟ ମାନଙ୍କରେ ନୂତନ ଅଧ୍ୟାପକ ନିଯୁକ୍ତିର କୌଣସି ପଲିସି ସରକାରଙ୍କ ପାଖରେ ନାହିଁ। ଯଦି ଏଭଳି ହୋଇଥାଏ ତେବେ ନିକଟ ଭବିଷ୍ୟତରେ ଉପଖଣ୍ଡର ପ୍ରାୟ ମହାବିଦ୍ୟାଳୟ ଅଧ୍ୟାପକ ଶୂନ୍ୟ ହୋଇଯିବେ। ବାମରା ବ୍ଲକ ସଦର ମହାବିଦ୍ୟାଳୟ ମଧ୍ୟ ବହୁଦିନରୁ ବିଜ୍ଞାନ ପାଠ୍ୟକ୍ରମ ପାଇଁ ସଂଘର୍ଷ ରାତ। ଏ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ୪୦ ରୁ ୫୦ କି.ମି. ଯାତାୟାତ କରି ବିଜ୍ଞାନ ପାଠ୍ୟକ୍ରମର ସୁଯୋଗ ପାଆନ୍ତି। ଉପଖଣ୍ଡର ଅନ୍ୟାନ୍ୟ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷା ବ୍ୟବସ୍ଥା ଶୋଚନୀୟ ଭାବରେ ଆଘାତ ପାଉଛି। ଯଦି ଏଭଳି ପରିସ୍ଥିତି ଲାଗି ରୁହେ ତେବେ ସରକାର ପ୍ରଦତ୍ତ ଶିକ୍ଷା ବ୍ୟବସ୍ଥା ଉପରୁ ଛାତ୍ରଙ୍କର ବିଶ୍ୱାସ ଉଠିଯିବ ଯାହା ଏକ ଜନ ମଙ୍ଗଳ କାରି ରାଷ୍ଟ୍ର ପାଇଁ ଅଶୋଭନୀୟ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରିୟ ଛାତ୍ର ସାମ୍ମୁଖ୍ୟ ସଂଯୋଜକ ଜିତେନ୍ଦ୍ରିୟ ଧୂରୁଆ, ସହ ସଂଯୋଜକ ଅସୀମ ପଟେଲ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ସମିତି ସଦସ୍ୟ ଝସକେତନ ଉଗର, କୋଲାବିରା ବ୍ଲକ ସଂଯୋଜକ ତଥା କୁଚିଣ୍ଡା ମହାବିଦ୍ୟାଳୟ ଛାତ୍ର ସାମ୍ମୁଖ୍ୟ ନିରୀକ୍ଷକ ଅଜୟ ବିଶ୍ୱାଳ, କେନ୍ଦ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ବଳରାମ ରୋହିଦାସ, ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟ ସଂଯୋଜକ ରଞ୍ଜନ ନାଏକ ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିବା ବେଳେ ସାମ୍ମୁଖ୍ୟର କେନ୍ଦ୍ରୀୟ ଉପଦେଷ୍ଟା ସମିତି ସଂଯୋଜକ ସୁବାଷ ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନପ୍ରମୁଖ ଛାତ୍ରଙ୍କ ସହ ଗଣ ଧାରଣାରେ ବସି ଆନ୍ଦୋଳନକୁ ସମର୍ଥନ କରିଥିଲେ।