ଖଡ଼ିଆଳ :ଖଡ଼ିଆଳ ବ୍ଲକ ବରଗାଁ ସ୍ଥିତ ୨ ନମ୍ବର ଏବଂ ୪ ନମ୍ବର ଅଙ୍ଗନ ୱାଡି ସେଣ୍ଟର କୋଠାଘରରେ ତାଲାବନ୍ଦ । ନିଜ ପୈତୃକ ଜମିରେ ଅଙ୍ଗନୱାଡି ସେଣ୍ଟର ନିର୍ମାଣ ହୋଇଥିବା ଅଭିଯୋଗକରି ଗାଁର ନବଘନ ବଘେଲ ନାମକ ବ୍ୟକ୍ତି ଅଙ୍ଗନୱାଡି ସେଣ୍ଟର ଦ୍ୱୟରେ ତାଲା ପକାଇ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ଫଳରେ ୨ ନମ୍ୱର ଓ ୪ ନମ୍ୱର ଅଙ୍ଗନୱାଡି ସେଣ୍ଟର ପରିଚାଳନାରେ ବାଧା ଉପୁଜିଛି । ଅପରପକ୍ଷେ ଅସୁରକ୍ଷିତ ଭାବରେ ଅନାବନା ବୁଦା, ଖୋଲା ଆକାଶ ତଳେ ଚାଲିଛି କୋମଳ ମତି ଶିଶୁଙ୍କ ଭବିଷ୍ୟତ .। ଖଡ଼ିଆଳ ବ୍ଲକ ବରଗାଁ ସ୍ଥିତ ୨ ନମ୍ବର ଅଙ୍ଗନ ୱାଡି ସେଣ୍ଟର ନିର୍ମାଣ ହୋଇ ଦୀର୍ଘ ୨୩ ବର୍ଷ ବିତି ଯାଇଥିବା ବେଳେ, ୪ ନମ୍ୱର ଅଙ୍ଗନୱାଡି ସେଣ୍ଟର ନିର୍ମାଣ ହୋଇ ଦୀର୍ଘ ୧୦ ବର୍ଷ ବିତିଯାଇଛି । ଉଭୟ ୨ ଗୋଟି ଅଙ୍ଗନୱାଡି ସେଣ୍ଟର ଦୀର୍ଘ ବର୍ଷଧରି ନିରବଚ୍ଛିନ୍ନ ଭାବରେ ପରିଚାଳିତ ହୋଇ ଆସୁଥିଲା । ହଠାତ ଗାଁର ନବଘନ ବଘେଲ ନାମକ ବ୍ୟକ୍ତି ନିଜ ପୈତୃକ ଜମି ଦାବିକରି ଗତ ଆଜକୁ ୭ ଦିନହେବ ୨ ଗୋଟି ଅଙ୍ଗନୱାଡି ସେଣ୍ଟରକୁ ତାଲାପକାଇ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ଯାହାକି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ଉଭୟେ ଅଙ୍ଗନୱାଡି ଦିଦି ଅସୁରକ୍ଷିତ ଭାବରେ ଅନାବନା ବୁଦାମୂଳେ ଖୋଲା ଆକାଶ ତଳେ କୋମଳ ମତି ଶିଶୁଙ୍କୁ ପାଠ ପଢ଼ାଉଥିବା ଦେଖାଦେଇଛି । ବର୍ଷା ପାଣିରେ ଶିଶୁ ମାନେ ଓଦା ହୋଇଯାଉଥିବା ବେଳେ,ପାହାଡିଆ ସ୍ଥାନ ହୋଇଥିବାରୁ ବିଷଧର ଶରୀସୃପର ଭୟ ରହିଛି । ଏନେଇ ପ୍ରଶାସନ ଗୁରୁତର ସହକାରେ ତୁରନ୍ତ ଦୃଷ୍ଟି ଦେବାକୁ ଅବିଭାବକ ମାନେ ଦାବି କରିଛନ୍ତି । କୌଣସି ସରକାରୀ କୋଠା ବାଡ଼ି ନିର୍ମାଣ ସମୟରେ ଜମି ଚିହ୍ନଟ କରାଯାଇଥାଏ ଏବଂ ଉକ୍ତ ଜମିଟି ସରକାରୀ ନା ବେସରକାରୀ ତାର କାଗଜାତ ପ୍ରମାଣ ପତ୍ର ତନଖି ଦେଖିବା ପରେ କୋଠା ବାଡ଼ି ନିର୍ମାଣ କରିବା ନିୟମ ରହିଛି । ହେଲେ ବରଗାଁ ଅଙ୍ଗନୱାଡି ସେଣ୍ଟର ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀ ବ୍ୟତିକ୍ରମ କରିଥିବା ଲକ୍ଷ୍ୟ କରାଯାଉଛି । ତା ନହେଲେ ଏଭଳି ପରିସ୍ଥିତି ଦେଖା ଦେଇନଥାନ୍ତା । ଉକ୍ତ ଜମିଟି ବେସରକାରୀ ତେବେ କାହିଁକି ସରକାରୀ କୋଠା ନିର୍ମାଣ ହେଲା । ଯଦି ସରକାରୀ ତେବେ ନବଘନ ବଘେଲ କାହିଁକି ତାଲା ପକାଇଲା । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ପାଇଁ ଗାଁଲୋକେ ଦାବିକରିଛନ୍ତି । ଅପରପକ୍ଷେ ତାଲା ପକାଇବା ଘଟଣା ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ହାତ ବାନ୍ଦୀ ବସିଛନ୍ତି କାହିଁକି । ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗାଁଲୋକେ ଦାବିକରିଛନ୍ତି । ନଚେତ କୌଣସି ଶିଶୁର କ୍ଷତିଘଟେ ତେବେ ପ୍ରଶାସନ ଖୋଦ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷେ ନବଘନ ବଘେଲ ବିରୁଦ୍ଧରେ ଖଡ଼ିଆଳ ଥାନାରେ ଏତଲା ଦେଇଥିବା ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ପ୍ରକାଶ କରିଛନ୍ତି ।