Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ବର୍ଷେ ୯ ମାସ ବଢିଲା ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଆଉ ବର୍ଷେ ୯ ମାସ ବଢିଲା ମହାନଦୀ ଜଳ ବିବାଦ ମାମଲାରେ ଗଠନ ହୋଇଥିବା ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ। ଏ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁସାରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ମାର୍ଚ୍ଚ ୧୧, ୨୦୨୩ରୁ ଡିସେମ୍ବର ୨୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ନିମନ୍ତେ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା। ତିନି ବ‌ର୍ଷ ଅବଧି ବୃଦ୍ଧି ପାଇଁ ଉଭୟ ରାଜ୍ୟ ଅନୁରୋଧ କରିଥିଲେ।

ତେବେ ଅନେକ ବିଚାରବିମର୍ଶ ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଅବଧିକୁ ଆଉ ବର୍ଷେ ୯ ମାସ ବୃଦ୍ଧି କରିଛନ୍ତି ‌କେନ୍ଦ୍ର ସରକାର। କେନ୍ଦ୍ରର ନିଷ୍ପତ୍ତି ପରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ନିଷ୍ପତ୍ତିରୁ ଓହରି ଆସିଛନ୍ତି ଦୁଇ ରାଜ୍ୟ। ଏହି ମାମଲା ପରିଚାଳନା କରୁଥିବା ଜଣେ ଓକିଲ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ। ପ୍ରଥମ ତିନି ବର୍ଷର ଅବଧି (୨୦୧୮ରୁ ୨୦୨୧)ରେ ଟ୍ରିବ୍ୟୁନାଲ ଜଳବିବାଦ ମାମଲାକୁ ଦେଇ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନଥିଲେ। ୨୦୨୧ରେ ପୁନର୍ବାର ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା। ଯାହାକି ଚଳିତ ମାର୍ଚ୍ଚ ମାସ ୧୧ରେ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ