Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅମିତ୍ ରୋହିଦାସଙ୍କୁ ରାଜ୍ୟ ସରକାରଙ୍କ ଦେଢ କୋଟି ପୁରସ୍କାର ଘୋଷଣା,  ଫାଇନାଲରେ କରିଥିଲେ ଗୋଲ ସ୍କୋର

ଭୁବନେଶ୍ଵର: ଚୀନର ହଙ୍ଗଝୌରେ ଖେଳା ଯାଉଥିବା ଏସୀୟ କ୍ରୀଡ଼ାରେ ଦମଦାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ପୁରୁଷ ହକି ଦଳ। ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଏସୀୟ କ୍ରୀଡ଼ା ଇତିହାସରେ ଚତୁର୍ଥ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ପୁରୁଷ ହକି ଦଳ। ଦଳରେ ସାମିଲ୍ ଓଡ଼ିଶାର ଏକ ମାତ୍ର ଖେଳାଳି ଅମିତ୍ ରୋହିଦାସ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ଫଳସ୍ଵରୂପ ଅମିତଙ୍କ ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତକାଲି ଫାଇନାଲ୍ ମୁକାବିଲାରେ ଗତ ଥରର ଚାମ୍ପିଅନ ଜାପାନକୁ ଭାରତ ୫-୧ ଗୋଲରେ ହରାଇଥିଲା। ସ୍ଵର୍ଣ୍ଣ ପଦକ ସହ ଭାରତୀୟ ପୁରୁଷ ହକି ଦଳ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ତେବେ ଏସୀୟ କ୍ରୀଡ଼ାର ଫାଇନାଲରେ ଓଡ଼ିଆ ପୁଅ ଅମିତ୍ ରୋହିଦାସଙ୍କ ଦଳ ବିଜୟରେ ମଧ୍ୟ ଗୁରୁତ୍ଵପୁର୍ଣ୍ଣ ଭୂମିକା ରହିଛି। ଭାରତ କରିଥିବା ୫ଟି ଗୋଲରୁ ରୋହିଦାସ ଗୋଟିଏ ଗୋଲ୍ ଦେଇଛନ୍ତି। ସେ ତୃତୀୟ କ୍ଵାର୍ଟରରେ ଭାରତ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ। ତାଙ୍କର ଏହି ପ୍ରଦର୍ଶନ ଯୋଗୁଁ ରାଜ୍ୟ ସରକାର ଅମିତ୍ ରୋହିଦାସଙ୍କୁ ପୁରସ୍କୃତ କରିଛନ୍ତି।

ଅମିତ୍ ରୋହିଦାସ ସୁନ୍ଦରଗଡ଼ ଜିଲ୍ଲାର ପୁଅ। ଟୋକିଓ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ବି ଥିଲେ ଅମିତ୍। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍ (ରୌପ୍ୟ), ୨୦୧୮ ଚାମ୍ପିଅନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ହକି ୱାର୍ଲ୍ଡ ଲିଗ୍ (କାଂସ୍ୟ), ଏସିଆ କପ୍ ବିଜୟୀ ଦଳର ସଦସ୍ୟ ଥିଲେ।