ଜମନକିରା : ଜମନକିରା ଥାନା ପକ୍ଷରୁ ଆଜି ଆୟୋଜିତ ହୋଇଥବା ସାଇବର ସଚେତନତା ଅଭିଯାନ ସଫଳତା ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମେ ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟରେ ଜମନକିରା ମହାବିଦ୍ୟାଳୟ, ତୃତୀୟରେ ପୁରୁଣା ଥାନା ସମ୍ମୁଖ ପଡ଼ିଆରେ ଶହ ଶହ ମହିଳାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳତା ପାଇଛି।
ଆଜିର କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରୋଜେକ୍ଟର ସାହାଯ୍ୟରେ, ଅଭିନୟ ମାଧ୍ୟମରେ, ସ୍ଲାଇଡ୍ ମାଧ୍ୟମରେ, ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରୀଛାତ୍ର, ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜନସାଧାରଣ ମାନେ ସାଇବର କ୍ରାଇମ ସଚେତନତା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇ ବିଦ୍ୟାଦାୟିନୀ ମା” ସରସ୍ୱତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ଦୀପ ପ୍ରଜ୍ବଳନ କରାଯାଇଥିଲା। ଥାନା ଆଇଆଇସି ପଦ୍ମାଳୟା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ମୁଖ୍ୟଅତିଥି ଭାବେ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ଯୋଗଦେଇ ସାଇବର କ୍ରାଇମ ହେବା ପୂର୍ବରୁ ସତର୍କତା ହିଁ ସୁରକ୍ଷା କବଚ ବୋଲି କହିଥିଲେ। ଆଇଆଇସି ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସାଇବର ଅପରାଧର ଶିକାର ହେଉଥିବା ବ୍ୟକ୍ତି ବିଶେଷ ନିଜେ ସତର୍କ ରହିବା ସହ ଅନ୍ୟ ମାନଙ୍କୁ ସତର୍କ କରେଇବା ଉଚିତ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ଜମନକିରା ସରପଞ୍ଚ ଯାଜ୍ଞସିନି ନାଏକ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା ଯୋଗଦେଇ ଜିଲ୍ଲା ସ୍ତରରେ ହୋଇଥିବା ସାଇବର କ୍ରାଇମ ବୈଠକ ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ। ଏସଆଇ ଦେବଜାନୀ ଛତର ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଥାନା ଏସଆଇ ସୁଧାଂଶୁ ଶେଖର ପାତ୍ର ସାଇବର କ୍ରାଇମ ସଚେତନତା ଉପରେ ବିସ୍ତୃତ ଭାବେ ବୁଝେଇଥିଲେ। ଆକାଶ ପଟ୍ଟନାୟକ ଏବଂ ଅବିନାଶ ଦାନୀ ଅଭିନୟ ମାଧ୍ୟମରେ କେମିତି ସାଇବର କ୍ରାଇମ ହେଇଛି ତାହା ଦେଖାଇଥିଲେ। ଶେଷରେ ଶ୍ରୀମତୀ ଦେବଜାନୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜମନକିରା ମହାବିଦ୍ୟାଳୟରେ ଅଡିଟୋରିୟ ହଲରେ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ ଯୋଗଦେଇ କିପରି ସାଧାରଣ ଲୋକମାନେ ସାଇବର ଠକେଇର ଶିକାର ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟ ଆଇଆଇସି ଶ୍ରୀମତୀ ସାହୁ, ଏସଡ଼ିପିଓ ଶ୍ରୀ ପଣ୍ଡା, କଲେଜ ପିଇଟି ରଞ୍ଜନ କୁମାର ମହାକୁଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏସଆଇ ଶ୍ରୀ ପାତ୍ର ବିସ୍ତୃତ ଆଲୋଚନା କରିଥିଲେ। ମଞ୍ଚକୁ ଏସଆଇ ଶ୍ରୀମତୀ ଦେବଜାନୀ ସ୍ବାଗତ ଅଭିଭାଷଣ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ଦ୍ଵାରା ସାଇବର କ୍ରାଇମ ଉପରେ ଅନଲାଇନ ପରୀକ୍ଷା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ପରବର୍ତ୍ତୀ ଶେଷ ପର୍ଯ୍ୟାୟ ଅପରାହ୍ନ ସାଢ଼େ ୧୨ଟା ସମୟରେ ଜମନକିରା ମୁଖ୍ୟଛକ ସ୍ଥିତ ପୁରୁଣା ଥାନା ପଡ଼ିଆରେ ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୁଚିଣ୍ଡା ଏସଡ଼ିପିଓ ଶ୍ରୀ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଦେବଗଡ ରାଣୀ ଅରୁନ୍ଧତୀ ଦେଵୀ ଯୋଗଦେଇ ମହିଳା ସଶକ୍ତି ଦ୍ଵାରା ଏବେ ସବୁ କିଛି ସମସ୍ୟାର ସମାଧାନ ହୋଇ ପାରୁଛି। ଆଉ ଆଜି ଶହସ୍ରାଧିକ ମହିଳାଙ୍କ ଉପସ୍ଥିତି ଏହା ଜାହିର କରୁଛି ବୋଲି କହିଥିଲେ। ସାଇବର ଠକେଇର ଶିକାର ଯେମିତି କେହି ନ ହୁଅନ୍ତୁ, ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ଶ୍ରୀମତୀ ଖୁଣ୍ଟିଆ, ସମ୍ବଲପୁର ସାଂସଦଙ୍କ ସୁପୁତ୍ର ନମନ ଗଙ୍ଗଦେବ ପ୍ରମୁଖ ମଞ୍ଚାଷିନ ଥିଲେ। ଏସଆଇ ଶ୍ରୀ ପାତ୍ର ସାଇବର ଠକେଇରେ କିପରି ଠକେଇ ହେବାକୁ ପଡୁଛି, ତାର ବିଭିନ୍ନ ଦିଗ ଉପରେ ବର୍ଣ୍ଣନା କରିଥିଲେ। ଏସଆଇ ଶ୍ରୀମତୀ ଛତର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଟ ନାଗରିକ କମିଟିର ସଭ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ମା” ତୋର ସାହାରା ପରିବାର ର ସଦସ୍ୟ ଗଣ, ଜନସାଧାରଣ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଛାତ୍ର, ଉଭୟ ଯୁକ୍ତ୨ ଏବଂ ଯୁକ୍ତ ୩ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଥାନାର ଅଧିକାରୀ, ଗାଁର ମହିଳା ପ୍ରମୁଖ ଉପସ୍ଥିତ ରହି ସହଯୋଗ ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଜମନକିରା ଥାନା ପକ୍ଷରୁ ଧୁମଧାମରେ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ସଫଳ ହେଲା
