Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନକୁ ହରାଇ ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ, ଜାଣନ୍ତୁ କେଉଁଠି ପହଞ୍ଚିଲା ପାକିସ୍ତାନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ଵକପ୍ ୨୦୨୩ରେ ଭାରତୀୟ ଦଳର ବିଜୟ ଯାତ୍ରା ଜାରି ରହିଛି। ଆଉ ଆଇସିସି ଦିନିକିଆ ମାନ୍ୟତାରେ ମଧ୍ୟ ଭାରତର ଦବଦବା କାଏମ ରହିଛି। ପାକିସ୍ତାନ ବିପକ୍ଷ ମହାମୁକାବିଲାକୁ ଜିତି ଭାରତ ନିଜର ଏକ ନମ୍ବର ମାନ୍ୟତାକୁ ବଜାୟ ରଖିଛି। ଭାରତଠୁ ହାରିଥିବା ପାକିସ୍ତାନ ଦ୍ଵିତୀୟ ସ୍ଥାନରେ ରହିଛି। ବିଶ୍ଵକପରେ ଲଗାତାର ଦୁଇଟି ପରାଜୟ ଭୋଗିଥିବା ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନକୁ ଖସି ଆସିଛି। ସେହିପରି ବିଶ୍ଵକପରେ ପ୍ରଥମ ତିନୋଟି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିବା ଭାରତ ପଏଣ୍ଟ ତାଲିକାରେ ମଧ୍ୟ ଶୀର୍ଷରେ ପହଞ୍ଚି ଯାଇଛି।

ଭାରତୀୟ ଦଳର ଆଇସିସି ଦିନିକିଆ ମାନ୍ୟତାରେ ୧୧୮ ପଏଣ୍ଟ ରହିଥିବା ବେଳେ ପାକିସ୍ତାନର ୧୧୫ ପଏଣ୍ଟ ରହିଛି। ୧୧୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ତୃତୀୟ ଏବଂ ୧୦୯ ପଏଣ୍ଟ ସହ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନକୁ ଖସି ଆସିଛି। ନ୍ୟୁଜିଲାଣ୍ଡ ୧୦୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଆଇସିସି ଦ୍ଵାରା ରବିବାର ଏହି ସଦ୍ୟ ମାନ୍ୟତା ଜାରି କରାଯାଇଛି।

ପାକିସ୍ତାନ ଦଳକୁ ଯଦି ମାନ୍ୟତାରେ ଶୀର୍ଷରେ ପହଞ୍ଚିବାର ଅଛି ତେବେ ଲଗାତାର ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। ଏଥିସହ ଭାରତ ଯଦି ଲଗାତାର ଦୁଇଟି ମ୍ୟାଚ୍ ହାରେ ତେବେ ଯାଇ ପାକିସ୍ତାନ ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିବ। କିନ୍ତୁ ଏମିତି ହେବାର ସମ୍ଭାବନା କମ ରହିଛି। କାରଣ ପାକିସ୍ତାନ ନିଜର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ସହ ଖେଳୁଥିବା ବେଳେ ଭାରତ ବାଂଲାଦେଶ ସହ ମୁକାବିଲା କରିବ। ତେଣୁ ଏହି ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ଓ ଭାରତର ପଲ୍ଲା ଭାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ