Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡିଆଳରେ ନବରାତ୍ରୀ ଦୁର୍ଗାପୂଜା ଆରମ୍ଭ

ଖଡିଆଳ : ନବରାତ୍ରୀ ଦୁର୍ଗାପୂଜା ଉପଲକ୍ଷେ ଜିଲାର ଖଡ଼ିଆଳ ସହର ବେଶ ଚଳଚଂଚଳ ହୋଇଉଠିଛି । ଚଳିତବର୍ଷ ଖଡ଼ିଆଳ ପଟ୍ଟନାୟକପଡା ପୂଜା କମିଟି ଓ ରାଜାପଡ଼ା ଦୂର୍ଗାପୂଜା କମିଟି ତରଫରୁ ମା ଦୁର୍ଗାଙ୍କ ନବରାତ୍ରୀ ଦୁର୍ଗାପୂଜାକୁ ବହୁ ଯାକଯମକରେ ପାଳନ କରାଯାଉଛି । ଖଡ଼ିଆଳ ପଟ୍ଟନାୟକ ପଡା ଓ ରାଜାପଡା ପୂଜା ମଣ୍ଡପରେ ଆକର୍ଷଣୀୟ ସୁଉଚ୍ଚତୋରଣ ସାଙ୍ଗକୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ସାଜସଜ୍ଜା ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିବାରେ ଲାଗିଛି । ଏଠାରେ ୯ଦିନ ଧରି ଜଗତଜନନୀ ମା ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ବେଶରେ ଷୋଡ଼ଶ ଉପଚାରରେ ପୂଜା କରାଯିବ। ୨ ପୂଜା କମିଟି ତରଫରୁ ଗତକାଲି ମହାଳୟା ଉପଲକ୍ଷେ ଶତାଧିକ ମହିଳା କଲସ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ପୂଜାମଣ୍ଡପରେ ପହଞ୍ଚିଥିଲେ । ଆଜି ପ୍ରାତଃରୁ ଦେବୀ ଦୁର୍ଗା ମୃଣମୟୀ ମୂର୍ତିକୁ ଜୀବନ୍ୟାସ କରାଯିବା ପରେ ଦେବୀଦୁର୍ଗାଙ୍କୁ ଶୈଳପୁତ୍ରୀ ବେଶରେ ଶୋଡ଼ଷ ଉପଚାରରେ ହୋମଯଜ୍ଞ ସହ ପୂଜା କରାଯାଉଛି । ଆଜି ଭକ୍ତମାନେ ଦେବୀ ଦୁର୍ଗାଙ୍କୁ ଶୈଳପୂତ୍ରୀ ରୂପରେ ଦର୍ଶନ କରୁଛନ୍ତି । ସୂଚନା ଥାଉକି ଦଶହରା ମହାଳୟା ଉପଲକ୍ଷେ ଖଡ଼ିଆଳର ଗଡ଼ଦେବୀ ମାଁ ରକ୍ତାମ୍ବରୀ ଦେବୀଙ୍କ ପୀଠରେ ମଧ୍ୟ ପୂଜା ଆରମ୍ଭ ହୋଇଯାଇଛି । ଖଡ଼ିଆଳର ତତ୍‌କାଳୀନ ରାଜା ରୁଦ୍ରମାଧବ ସିଂଦେଓ ତାଙ୍କ ରାଜଧାନୀ କୋମନାଗଡ଼ରୁ ଆଣି ଖଡ଼ିଆଳ ଠାରେ ରାଜଧାନୀ ପ୍ରତିଷ୍ଠା କରିଥିଲେ। ରାଜଧାନୀ ପ୍ରତିଷ୍ଠା କରିବା ପରେ ରାଜା ରୁଦ୍ରମାଧବ ସିଂଦେଓ ଖଡ଼ିଆଳ ନିକଟସ୍ତ ପଲମାଗଡ଼ରୁ ଦେବୀ ରକ୍ତାମ୍ବରୀଙ୍କୁ ପ୍ରତିଟି ପାଦରେ ବୋଦାବଳି ଦେଇ ଖଡ଼ିଆଳକୁ ପାଛୋଟି ଆଣି ଗଡ଼ଦେବୀ ଭାବେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରି ଆସୁଛନ୍ତି । ସେହିଦିନ ଠାରୁ ପ୍ରତିବର୍ଷ ଦଶହରା ମହାଳୟା ଉପଲକ୍ଷେ ମାଁ ରକ୍ତାମ୍ବରୀ ଦେବୀଙ୍କ ମନ୍ଦିରରୁ ବାଜାଗାଜା ସହ ସେବାୟତ ମାନେ ଛତର ଧର୍ମ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଛପଟେ ଦେବୀଙ୍କ ଉପସ୍ଥଳୀକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଛତରକୁ ମନ୍ଦିରକୁ ଅଣାଯାଇଥିଲା । ମହାଳୟା ଠାରୁ ଗଡ଼ଦେବୀ ମାଁ ରକ୍ତାମ୍ବରୀ ଦେବୀଙ୍କ ପୀଠରେ ପୂଜାଆରମ୍ଭ ହୋଇ ବିଜୟା ଦଶମୀ ଯାଏଁ ଦଶଦିନ ବ୍ୟାପି ଅଖଣ୍ଡ ଜାଗର ଦୀପ ଜାଳି ପୂଜା କରାଯାଇଥାଏ । ପରେ ଦଶହରା ବିଜୟା ଦଶମୀ ଉପଲକ୍ଷେ ରକ୍ତାମ୍ବରୀ ଦେବୀଙ୍କ ବୁଏଲ ଛତର ଯାତ୍ରା ବାହାରି ନଗର ପରିକ୍ରମା କରିଥାଏ । ଏହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥାଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ