କଳାହାଣ୍ଡି, ୧୭/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ବିସିସିବି ବ୍ୟାଙ୍କ ଅଧୀନରେ ଥିବା କାମଠଣା ପାକ୍ସ କଲମ ପଂଚାୟତର ଅନେକ ଚାଷୀ ବର୍ଷପରେ ମଧ୍ୟ ବକେୟା ଫସଲ ବୀମା ଟଙ୍କା ପାଇ ନାହାନ୍ତି । ଏହାକୁ ନେଇ ସେମାନେ ବିଭିନ୍ନ ସମୟରେ ସ୍ଥାନୀୟ ପାକ୍ସ ସମେତ ଭବାନୀପାଟଣା ବିସିସିବି ବ୍ୟଙ୍କର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଚାଷୀମାନେ ଭବାନୀପାଟଣା ବିସିସିବି ସଭାପତି ଗିରିଶ ଚନ୍ଦ୍ର ବେହେରାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଶୀଘ୍ର ବକେୟା ଥିବା ଫସଲ ବୀମା ଟଙ୍କାକୁ ଖଲାସ କରିବାକୁ ସେମାନେ ନିବେଦନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଭବାନୀପାଟଣା ବିସିସିବି ବ୍ୟାଙ୍କ ଅଧୀନ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ପ୍ରାୟ ପାକ୍ସର ଚାଷୀଙ୍କ ଫସଲବୀମା ଟଙ୍କା ଗତ ବର୍ଷେ ହେଲା ଅଟକି ଥିବା ଜଣାପଡିଛି । ଏହାକୁ ନେଇ ଚାଷୀମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏପରିକି ଅନ୍ୟ କୌଣସି ବ୍ୟାଙ୍କରେ ପ୍ରାୟ ଏହି ସମସ୍ୟା ହୋଇ ନ ଥିବା ବେଳେ ଭବାନୀପାଟଣା ବିସିସିବି ବ୍ୟାଙ୍କ କ୍ଷେତ୍ରରେ ଏହାର ସମସ୍ୟା ଦେଖାଦେଇଛି । ଅନ୍ୟପକ୍ଷରେ ଗତ ବର୍ଷେ ହେଲା ବିସିସିବି ବ୍ୟାଙ୍କରୁ ଏହି ବାବଦର ଟଙ୍କା ଆସୁନ ଥିବାରୁ ଚାଷୀଙ୍କୁ ଫସଲବୀମା ଟଙ୍କା ଦିଆଯାଇ ପାରୁନାହିଁ ବୋଲି ବିସିସିବି ସଭାପତି କହିଥିବା ଚାଷୀଙ୍କ ଠାରୁ ଜଣାପଡିଛି । ଏହି ସମସ୍ୟାକୁ ନେଇ ସାଇନିଙ୍ଗ କଳାହାଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ୫ଟି ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ନୂଆପଡା ଜିଲ୍ଲାର ୧୦୩ଟି ପାକ୍ସର ଚାଷୀମାନଙ୍କୁ ବର୍ତ୍ତମାନ ସୁଦ୍ଧା ବକେୟା ଫସଲ ବୀମାଯୋଜନା ଦିଆଯାଇ ନାହିଁ । କଳାହାଣ୍ଡି ନୂଆପଡା ଜିଲ୍ଲାକୁ ନେଇକି ବିସିସିବି ବ୍ୟାଙ୍କକୁ ଅର୍ଥ ଆବଣ୍ଟନ ନ କରାଯାଇ ଥିବା କାରଣରୁ ବର୍ତ୍ତମାନ ସୁଦ୍ଧା ୧ ବର୍ଷ ହେଲାଣି ଚାଷୀ ତାଙ୍କର ପ୍ରାପ୍ୟ ପାଇ ପାରିନାହାନ୍ତି ।
ଚାଷୀମାନଙ୍କୁ ଫସଲବୀମା ଟଙ୍କା ଦାବିରେ ୫ଟି ସଚିବଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର
