ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ମୁସ୍କିଲରେ ପାକିସ୍ତାନ ଟିମ୍, ପ୍ଲେଇଙ୍ଗ-୧୧ ପ୍ରସ୍ତୁତ କରିବା କଷ୍ଟ


ନୂଆଦିଲ୍ଲୀ: ବିଶ୍ଵକପରେ ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଏହି ମ୍ୟାଚ୍ ଅକ୍ଟୋବର ୨୦ ତାରିଖ ବେଙ୍ଗାଲୁରୁରେ ଖେଳାଯିବ। ତେବେ ଏହି ବଡ଼ ମୁକାବିଲା ପୂର୍ବରୁ ପାକିସ୍ତାନ ଦଳ ବଡ଼ ସଙ୍କଟରେ ରହିଛି। ବର୍ତ୍ତମାନ ଏହି ମୁକାବିଲା ପାଇଁ ପାକିସ୍ତାନକୁ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରିବା ମୁସ୍କିଲ ହୋଇ ପଡ଼ିଛି।

ବେଙ୍ଗାଲୁରୁ ପହଞ୍ଚିବା ମାତ୍ରେ ପାକିସ୍ତାନ ଦଳର ଅଧିକାଂଶ ଖେଳାଳି ଭାଇରାଜ ଜ୍ଵରରେ ପୀଡ଼ିତ। ବେଙ୍ଗାଲୁରୁରେ ସଂପ୍ରତି ଭାଇରାଲ୍ ଜ୍ଵରର ପ୍ରକୋପ ରହିଛି। ସମ୍ଭବତଃ ବଦଳିଥିବା ପାଣିପାଗ କାରଣରୁ ଲୋକଙ୍କ ସ୍ଵାସ୍ଥ୍ୟ ବିଗିଡ଼ିଛି। ଯେବେ ପାକିସ୍ତାନର ଦଳ ଏଠାରେ ପହଞ୍ଚିଲେ ଖେଳାଳିମାନେ ମଧ୍ୟ ଜ୍ଵରରେ ପୀଡ଼ିତ ହୋଇଛନ୍ତି। କିଛି ଖେଳାଳିଙ୍କୁ ବାଦ୍ ଦେଲେ ଅଧିକାଂଶ ଖେଳାଳି ଜ୍ଵରରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଖେଳାଳି ସୁସ୍ଥ ହେବାରେ ଲାଗିଛନ୍ତି। ମାତ୍ର ଯେ ପର୍ଯ୍ୟନ୍ତ ସମସ୍ତ ଖେଳାଳି ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି ଏହା ଦଳ ପ୍ରବନ୍ଧକଙ୍କ ପାଇଁ ଚିନ୍ତାର ବିଷୟ ରହିବ।

ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ଅପଡେଟ୍ ମଧ୍ୟ ଦେଇଛି। ବୋର୍ଡର ମିଡିଆ ମ୍ୟାନେଜର ଏହସାନ ଇଫତିଖାରଙ୍କ ମତରେ ଜ୍ଵରରେ ପୀଡ଼ିତ ଅଧିକାଂଶ ଖେଳାଳି ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଯାଇଛନ୍ତି। ଯେଉଁ ଖେଳାଳି ବର୍ତ୍ତମାନ ସୁସ୍ଥ ହେବାରେ ପ୍ରକ୍ରିୟାରେ ଅଛନ୍ତି, ସେମାନେ ଡାକ୍ତରୀ ଦଳ ନିରୀକ୍ଷଣରେ ଅଛନ୍ତି।

ଭାରତଠୁ ହାରିବା ପରେ ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଜିତି ଦଳ ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଯଦି ଦଳ ଏମିତି କରିବାରେ ବିଫଳ ହୁଏ ତେବେ ସେମି ଫାଇନାଲ୍ ଦୌଡ଼ରେ ପଛେଇ ଯିବ।

ଏମିତି ରହିଛି ପାକିସ୍ତାନର ବିଶ୍ଵକପ୍ ଦଳ
ଫଖର ଜମାନ, ଇମାମ ଉଲ ହକ, ଅବଦୁଲ୍ଲା ଶଫିକ, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ, ସାଉଦ ଶକିଲ, ଇଫତିଖାର ଅହମ୍ମଦ, ଶାଦାବ ଖାନ, ସଲମାନ ଅଲୀ ଆଗା, ମହମ୍ମଦ ନଓ୍ଵାଜ, ଉସାମା ମୀର, ହାରିସ ରଉଫ, ହସନ ଅଲ୍ଲୀ, ଶାହିନ ଆଫ୍ରିଦି, ମହମ୍ମଦ ଓ୍ଵାସିମ।