ଧରା ହେଲା ନକଲି ସାର୍ଟିଫିକେଟ୍ ରାକେଟ୍‌; ୨୦ ଅଟକ


ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ଡାକ ଅଫିସରେ ନକଲି ପ୍ରମାଣପତ୍ର ଦେଇ ଚାକିରି ପାଇଁ ଆବେଦନ ଘଟଣାରେ ଏକ କୋଚିଂ ସେଣ୍ଟର ଉପରେ ଚଢଉ କରିଛି ପୋଲିସ।
ସୂଚନାନୁସାରେ, ନକଲି ସାର୍ଟିଫିକେଟ୍ ଦାଖଲ କରିଥିବା ୮ ଜଣ ପ୍ରାର୍ଥୀଙ୍କ ବ୍ୟତୀତ ପୋଲିସ ଅନେକ ଜାଲ୍ ମାର୍କ ସିଟ୍, ସାର୍ଟିଫିକେଟ୍, ଭେରିଫିକେସନ ରିପୋର୍ଟ, ସିଲ୍ ଏବଂ ଏକ ଡାଏରୀ ଜବତ କରିବା ସହ ଏହା ପଛରେ ଥିବା ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଓ ଆଲୋକ ଉଦଗାତାଙ୍କ ସହ ୨୦ ଜଣଙ୍କୁ ଅଟକ ରଖିଛି।

ଏ ନେଇ ବଲାଙ୍ଗିର ମୁଖ୍ୟ ଡାକଘର ଅଧୀକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ଅଭିଯୋଗ କରିଥିଲେ। ଏହାପରେ ଉକ୍ତ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ନିକଟରେ ଖାଲି ପଦବୀ ପାଇଁ ଆବେଦନ କରିଥିବା ପ୍ରାୟ ୩୭ ଜଣ ପ୍ରାର୍ଥୀ ନକଲି ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରସ୍ତୁତ କରି ଦାଖଲ କରିଥିଲେ।

ଡାକ ବିଭାଗ ପ୍ରାୟ ୧୦ ଦିନ ପୂର୍ବରୁ ବ୍ରାଞ୍ଚ୍‌ ପୋଷ୍ଟ ମ୍ୟାନେଜର (ବିପିଏମ୍), ଆସିଷ୍ଟାଣ୍ଟ ବିପିଏମ୍ ଏବଂ ଡାକ୍ ସେବକ ପଦରେ ୮୩ ଟି ପଦବୀ ପୂରଣ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଥିଲା।

ଏହି ଆବେଦନକାରୀମାନେ ୯୮ ପ୍ରତିଶତରୁ ଅଧିକ ଏବଂ ଇଂରାଜୀରେ ୯୯ ପ୍ରତିଶତ ସ୍କୋର କରିଥିଲେ। ପଚରାଉଚରା ବେଳେ ଜଣେ ଛାତ୍ର ସ୍ୱୀକାର କରିଥିଲେ ଯେ ସେ ୫୦ ହଜାର ଟଙ୍କା ଦେଇ ନକଲି ବୋର୍ଡ ପରୀକ୍ଷା ପ୍ରମାଣପତ୍ର କିଣିଛନ୍ତି।

ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଏଜୁକେସନ୍ କମ୍ପ୍ଲେକ୍ସ ହେଉଛି ଏହି ରାକେଟ୍‌ର କେନ୍ଦ୍ରସ୍ଥଳ। ଚଢଉ ବେଳେ ଛାନ୍‌ଭିନ୍‌ ସମୟରେ ଜଣାପଡ଼ିଥିଲା ଯେ ଏହି କୋଚିଂ ସେଣ୍ଟରର “କମ୍ପ୍ୟୁଟରରେ ଅନେକ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଖାଲି ପ୍ରମାଣପତ୍ର ମିଳିଥିଲା।

ଏହାବ୍ୟତୀତ ସିଲ୍, ଷ୍ଟାମ୍ପ ଏବଂ ଏକ ଡାଏରୀ ମଧ୍ୟ ମିଳିଥିଲା। ଯେଉଁଥିରେ ପ୍ରମାଣପତ୍ର ପାଇଁ ଦେୟ ଦେଇଥିବା ଲୋକଙ୍କ ନାମ ଉଲ୍ଲେଖ ରହିଛି। ସମସ୍ତ ପ୍ରମାଣ ଯାଞ୍ଚ କରାଯାଉଛି ବୋଲି ଏସଡିପିଓ କହିଛନ୍ତି।