ଲୋଙ୍ଘର ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ଅଭାବନୀୟ ଘଟଣା, ଘର କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର


ଖଲ୍ଲିକୋଟ–୨୦/୧୦–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ଆଜି ଅପରାହ୍ନ ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ।ଘର କାମ ଚାଲୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ଅଜା ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଥିବା ଜଣାପଡିଛି ।ମିଳିଥିବା ସୂଚନା ଅନୁଯାୟୀ, ଲୋଙ୍ଘର ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମର ଭାଗୀ ନାହାକ ଙ୍କ ଝିଅ ନିବାସୀ ପାହାନ ଙ୍କ ଇନ୍ଦିରା ଆବାସ ଯୋଜନାରେ ମିଳିଥିବା ଘର କାମ ଚାଲିଥିଲା ।ଆଜି ଅପରାହ୍ନ ୨ଟା ରେ ଭାଗୀ ନାହାକ ଛାତ ଉପରେ ପାଣି ଦେଉଥିବା ବେଳେ ଝିଅ ନିବାସୀ ପାହାନ କୌଣସି କାର୍ଯ୍ୟ ପାଇଁ ତଳକୁ ଆସିଥିଲେ ।ଘର ପାର୍ଶ୍ଵରେ ଏକ ଭଙ୍ଗାରୁଜା ଡିହ ଥିବା ବେଳେ ଏକ କାଠ ରେ ବାଙ୍କି ପାଇପ ବନ୍ଧା ଯାଇ ସର୍ଭିସ ତାର ଟଣା ଯାଇଛି ।ଯେଉଁ ଥିରେ କି ବିଦ୍ୟୁତ ପ୍ରବାହିତ ହେଉଛି ।ମିଟର ଟି ତଳେ ରଖାଯାଇଛି ।ସେଠାରେ ନିବାସୀ ପାହାନ ଙ୍କ ଘର କାମରେ ବ୍ୟବହାର ପାଇଁ ଲୁହା ଛଡ଼ ଗୁଡିକ ପଡିଛି ।ତେବେ ସର୍ଭିସ ତାର କୁ ଲାଗି ରହିଥିବା ଲୁହା ଛଡ଼ ରେ କରେଣ୍ଟ ଚାର୍ଜ ହୋଇ ଯାଇଥିଲା ।ସେହି ଲୁହା ଛଡ଼ ରେ ପାଦ ପଡିବା ମାତ୍ରେ ନିବାସୀ ବିଦ୍ୟୁତ ସଂସ୍ପର୍ଶରେ ଆସି ସେଠାରେ ଲାଗି ରହି ଯାଇଥିଲେ ।ଏହାଦେଖି ପାଖରେ ଥିବା ତାଙ୍କ ପୁଅ ଜିତେନ୍ଦ୍ର ପାହାନ ଦୌଡି ଆସି ମାଆ ଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା ବେଳେ ସେ ମଧ୍ୟ କରେଣ୍ଟ ରେ ଲାଗି ରହି ଯାଇଥିଲେ ।ଛାତ ଉପରେ ପାଣି ଦେଉଥିବା ଅଜା ଭାଗୀ ନାହାକ ଏହା ଦେଖି ତଳକୁ ଦୌଡି ଆସି ଉଭୟ ଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା ବେଳେ ସେ ମଧ୍ୟ କରେଣ୍ଟ ରେ ଲାଗି ଯାଇଥିଲେ ।ତେବେ ଏହା ଦେଖି ଗ୍ରାମବାସୀ କୌଣସି ମତେ ବିଦ୍ୟୁତ ତାର କୁ କାଟି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ ।ତେବେ ମେଡ଼ିକାଲ ରେ ଡାକ୍ତର ମାଆ ପୁଅ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଜା ଭାଗୀ ନାହାକ ଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ଏହି ଘଟଣା ପରେ ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।ତେବେ ଏକ ଭଙ୍ଗାରୁଜା ଘର, ଘର ତ ନୁହେଁ କେବଳ ଡିହ ପଡି ରହିଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କିପରି ରହିଛି ତାହା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସାମାନ୍ୟ କିଛି ଟଙ୍କା ବକେୟା ଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ର ବିଦ୍ୟୁତ ସଂଯୋଗ ବିଦ୍ୟୁତ ବିଭାଗ ବିଚ୍ଛିନ୍ନ କରୁଥିବା ବେଳେ ଏହି ଭଙ୍ଗାରୁଜା ଡିହ ରେ ଦୀର୍ଘ ବର୍ଷ ହେଲା କେହି ରହୁ ନ ଥିବା ବେଳେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ନ ଥିବାରୁ ଏଭଳି ଏକ ଅଭାବନୀୟ ଘଟଣା ପାଇଁ ବିଦ୍ୟୁତ ବିଭାଗ କୁ ଦାୟୀ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।