Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି କର ବା ମର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ, ୨୪ ବର୍ଷରୁ ରହିଛି ବିଜୟର ରେକର୍ଡ

ଚେନ୍ନାଇ: ବିଶ୍ଵକପ୍ ୨୦୨୩ର ୨୬ତମ ମୁକାବିଲା ଆଜି ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ବାବର ଆଜମଙ୍କ ନେତୃତ୍ଵାଧୀନ ଦଳ ପାଇଁ ଏହି ମୁକାବିଲା କର ବା ମର ପରିସ୍ଥିତି ସୃଷ୍ଟି କରିଛି। ସେମି ଫାଇନାଲ୍ ଆଶା ଉଜ୍ଜିବୀତ ରଖିବା ପାଇଁ ପାକିସ୍ତାନକୁ ଯେମିତି ହେଲେ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ ।

ଚଳିତ ବିଶ୍ଵକପରେ ପାକିସ୍ତାନର ପ୍ରଦର୍ଶନ ନିରାଶଜନକ ରହିଛି। ଦଳ ୫ଟି ମ୍ୟାଚରୁ କେବଳ ୨ଟିରେ ବିଜୟ ଲାଭ କରିଛି। ପାକିସ୍ତାନ ନିଜର ଗତ ମୁକାବିଲାରେ ଆଫଗାନିସ୍ତାନ ବିପକ୍ଷରେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ବର୍ତ୍ତମାନ ପଏଣ୍ଟ ଟେବୁଲରେ ୪ ପଏଣ୍ଟ ସହ ଦଳ ଷଷ୍ଠ ସ୍ଥାନରେ ରହିଛି। ଯଦି ପାକିସ୍ତାନକୁ ସେମି ଫାଇନାଲରେ ପହଞ୍ଚିବାର ଅଛି ତେବେ ସମସ୍ତ ମୁକାବିଲା ଜିତିବାକୁ ପଡ଼ିବ।

ବିଶ୍ଵକପରେ ଗତ ୨୪ ବର୍ଷରେ ପାକିସ୍ତାନ କେବେ ବି ଦକ୍ଷିଣ ଆଫ୍ରିକା ନିକଟରୁ ହାରି ନାହିଁ। କିନ୍ତୁ ବର୍ତ୍ତମାନ ଫର୍ମକୁ ଦେଖିଲେ ଦକ୍ଷିଣ ଆଫ୍ରିକା ବହୁତ ମଜବୁତ ରହିଛି ଏବଂ ଏହାର ପଲ୍ଲା ଭାରି ରହିଛି। ୨୦୧୫ ଓ ୨୦୧୯ ବିଶ୍ଵକପରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଶେଷ ଥର ଦଳ ୧୯୯୯ରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା। ଏହି ରେକର୍ଡ ପାକିସ୍ତାନକୁ କିଛିଟା ଆଶ୍ଵସ୍ତି ପ୍ରଦାନ କରିବ। କିନ୍ତୁ ଚେନ୍ନାଇରେ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

ଚଳିତ ବିଶ୍ଵକପରେ ପାକିସ୍ତାନର ପ୍ରଦର୍ଶନ ନିରାଶଜନକ ରହିଥିଲେ ହେଁ ଏହି ଦଳ ଓଲଟ ପାଲଟ କରିବାରେ ମାହିର। କେହି କହି ପାରିବେ ନାହିଁ ଯେ, ପାକିସ୍ତାନ କେବେ ଜିତିବ ଏବଂ କେବେ ହାରିବ। ହେଲେ ଏହାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ ଯେ, ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ସମୟରେ ଯେଉଁଭଳି ଫର୍ମରେ ଅଛି ତାହା ଆଗରେ ପାକିସ୍ତାନ କିଛି ନୁହେଁ। ଏହି ବିଶ୍ଵକପରେ ପାକିସ୍ତାନ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ତିନି ବିଭାଗରେ ଲଜ୍ଜାଜନକ ପ୍ରଦର୍ଶନ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ