Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୂଡ଼ାନ୍ତ ଏକାଦଶରେ ମିଳିପାରେ ଅଶ୍ଵିନଙ୍କୁ ସ୍ଥାନ, ଆଜିର ମ୍ୟାଚରେ ବାଦ୍ ପଡ଼ି ପାରନ୍ତି ଏହି ଖେଳାଳି

ଲକ୍ଷ୍ନୌ: ବିଶ୍ଵକପ୍ ୨୦୨୩ର ୨୯ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ। ଆଜି ଏହି ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ। ଲକ୍ଷ୍ନୌର ପିଚ୍ ସ୍ପିନରଙ୍କୁ ବେଶ ସୁହାଇଥାଏ, ତେଣୁ ପ୍ରଶ୍ନ ଉଠୁଛି ଯେ, କଣ ରୋହିତ ଶର୍ମା ଆଜିର ଚୂଡାନ୍ତ ଏକାଦଶରେ କଣ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସୁଯୋଗ ଦେବେ ? ଚଳିତ ବିଶ୍ଵକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ମାତ୍ର ମ୍ୟାଚ୍ ଖେଳିଛନ୍ତି ଅଶ୍ଵିନ। ଏହା ପରେ ଭାରତ କେବଳ ଦୁଇ ଜଣ ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜାଙ୍କ ସହିତ ଖେଳି ଆସିଛି। ରୋହିତ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ଯେଉଁଠି ଆବଶ୍ୟକ ପଡ଼ିବ ଅଶ୍ଵିନଙ୍କୁ ଆମେ ବ୍ୟବହାର କରିବୁ। ଆଜିର ମ୍ୟାଚରେ ସ୍ପିନରଙ୍କ ପାଇଁ ବେଶ ଉପଯୋଗୀ ଥିବାରୁ ରୋହିତ ଶର୍ମା ଅଶ୍ଵିନଙ୍କୁ ସୁଯୋଗ ଦେଇ ପାରନ୍ତି। ପ୍ରଶ୍ନ ଉଠୁଛି ଯେ, କାହା ଜାଗାରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବ।

ଯଦି ଚୂଡ଼ାନ୍ତ ଏକାଦଶ ଉପରେ ନଜର ପକାଇବା ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳର ସନ୍ତୁଳନ ପୂର୍ବରୁ ବିଗିଡ଼ି ସାରିଛି। ତାଙ୍କ ଅନୁପସ୍ଥିତିରେ ସୂର‌୍ୟ୍ୟକୁମାର ଯାଦବ ଓ ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ଶାମି ଗତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ ଓ୍ଵିକେଟ୍ ଦଖଲ କରି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ରନ ଆଉଟ୍ ହେବା କାରଣରୁ ଅଧିକ ସମୟ ବ୍ୟାଟିଂ କରିବାକୁ ସୁଯୋଗ ମିଳିନାହିଁ।

ଅନ୍ୟପକ୍ଷେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଏମିତି ଦୁଇ ଜଣ ବୋଲର ଯିଏ ଅଦ୍ୟାବଧି ସମସ୍ତ ୫ ମ୍ୟାଚ୍ ଖେଳିଛନ୍ତି। ଆଗାମୀ ମ୍ୟାଚକୁ ଆଖି ଆଗରେ ରଖି ରୋହିତ ଶର୍ମା କାର୍ଯ୍ୟଭାରକୁ ସନ୍ତୁଳନ ରଖିବା ପାଇଁ ଆଜି ବୁମରା କିମ୍ବା ସିରାଜଙ୍କୁ ବିଶ୍ରାମ ଦେଇ ପାରନ୍ତି। ତେବେ ବୁମରାଙ୍କୁ ବିଶ୍ରାମ ଦେବାର ସମ୍ଭାବନା ବହୁତ କ୍ଷୀଣ।

ବୁମରା ଭାରତ ପାଇଁ ଚଳିତ ବିଶ୍ଵକପରେ ସର୍ବାଧିକ ୧୧ ଓ୍ଵିକେଟ୍ ହାସଲ କରିଛନ୍ତି। ଅପରପକ୍ଷେ ସିରାଜ ଲୟରେ ନାହାନ୍ତି। ତେଣୁ ରୋହିତ ଆଜି ସିରାଜଙ୍କ ସ୍ଥାନରେ ଅଶ୍ଵିନଙ୍କୁ ସୁଯୋଗ ଦେଇ ପାରନ୍ତି। ଅଶ୍ଵିନ ଆସିଲେ ଭାରତର ସ୍ପିନ ବିଭାଗ ଆହୁରି ମଜବୁତ ହୋଇ ଯାଉଛି, ଯାହା ଇଂଲଣ୍ଡକୁ ଅଡ଼ୁଆରେ ପକାଇବାକୁ ଯଥେଷ୍ଟ। ଇକାନାର ପିଚ୍ ମଧ୍ୟ ଏହି ତିନି ସ୍ପିନରଙ୍କ ପାଇଁ ବେଶ ସହାୟକ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ