Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ

ଭୁବନେଶ୍ଵର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ରଘୁବର ଦାସ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂତନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବାହ୍ଣ ଠିକ୍ ୧୧ଟା ୪୫ରେ ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସମାରୋହରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଗତକାଲି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ମଙ୍ଗଳବାର ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରଭୁଙ୍କ ଦର୍ଶନ କରିଥିଲେ।ସେ ପ୍ରାୟ ୪୦ ମିନିଟ୍ କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିଥିଲେ। ସୋମବାର ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିସନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ।

୧୯୫୫ ମସିହା ମେ ୩ରେ ଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିବା ରଘୁବର ବାଲଭୂଷଣ ହରିଜନ ହାଇସ୍କୁଲରୁ ଦଶମ ପାସ୍ କରିଥିଲେ। ଏହାପରେ ଜାମସେଦପୁର କୋପୋରେଟିଭ୍ କଲେଜରୁ ଉଚ୍ଚ ଶିକ୍ଷାଲାଭ କରିଥିଲେ। ଏହି କଲେଜରୁ ହିଁ ରଘୁବର ଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ। ପାଠପଢା ପରେ ସେ ଟାଟା ଷ୍ଟିଲର ଲିଗାଲ ପ୍ରଫେସନାଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ତାଙ୍କର ରାଜନୈତିକ ଜୀବନ ଉପରେ ନଜର ପକାଇଲେ ରଘୁବର ଦାସ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଦ୍ଵାରା ଲାଗୁ ଜରୁରୀକାଳୀନ ସମୟରେ ତାଙ୍କୁ ଗୟାରୁ ଗିରଫ କରାଯାଇ ଜେଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ।

୧୯୮୦ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ସେ ୨୦୧୯ ଯାଏ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେପି ସରକାରରେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଝାଡ଼ଖଣ୍ଡ ରାଜ୍ୟର ଏକମାତ୍ର ମୁଖ୍ୟମନ୍ତ୍ରୀ ଥିଲେ ଯିଏ ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ଥିଲେ। ବର୍ତ୍ତମାନ ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ