ବିଶ୍ଵକପ୍ ୨୦୨୩ ସେମି ଫାଇନାଲରେ ଭାରତ ପହଞ୍ଚିବାର ସମ୍ଭାବନା ୯୯.୯ ପ୍ରତିଶତ, ଦେଖନ୍ତୁ ଅନ୍ୟ ଦଳର ସ୍ଥିତି


ନୂଆଦିଲ୍ଲୀ: ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ୍ ପରେ ଷ୍ଟାର ସ୍ପୋର୍ଟ୍ସ ବିଶ୍ଵକପ୍ ୨୦୨୩ରେ ଅଂଶ ଗ୍ରହଣ କରିଥିବା ୧୦ଟି ଦଳର ସେମି ଫାଇନାଲରେ ପହଞ୍ଚିବାର ସମ୍ଭାବନା ଉପରେ ସୂଚନା ପ୍ରଦାନ କରିଛି। ତାଲିକାରେ ଭାରତ ସମେତ ମୋଟ୍ ୪ଟି ଦଳର ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାର ୭୫ ପ୍ରତିଶତ ସମ୍ଭାବନା ରହିଛି। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟରେ ଏମିତି ଦୁଇଟି ଦଳ ଅଛନ୍ତି ଯାହାଙ୍କ ସେମି ଫାଇନାଲରେ ପହଞ୍ଚିବାର ସମ୍ଭାବନା ୯୦ ପ୍ରତିଶତରୁ ଅଧିକ ରହିଛି। ଅଦ୍ୟାବଧି କୌଣସି ଦଳ ନା ସେମି ଫାଇନାଲରେ ପହଞ୍ଚିଛନ୍ତି ନା କେଉଁ ଦଳ ବାଦ୍ ପଡ଼ିଛନ୍ତି। ଆସନ୍ତୁ ନଜର ପକାଇବା ସମସ୍ତ ଦଳର ସେମି ଫାଇନାଲରେ ପହଞ୍ଚିବାର କେତେ ସମ୍ଭାବନା ରହିଛି।

ବିଶ୍ଵକପ୍ ୨୦୨୩ର ସେମି ଫାଇନାଲରେ ପହଞ୍ଚିବାରେ ଭାରତର ୧୦୦ ପ୍ରତିଶତ ସମ୍ଭାବନା ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ରଥରେ ବସିଥିବା ଭାରତ ଏ ପର‌୍ୟ୍ୟନ୍ତ ୬ଟି ମ୍ୟାଚ୍ ଖେଳି ସବୁଥିରେ ବିଜୟ ହାସଲ କରିଛି। ଭାରତ ଅବଶିଷ୍ଟ ୩ଟି ମ୍ୟାଚ୍ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଖେଳିବ। ଏଥିରୁ ଗୋଟିଏ ମ୍ୟାଚ୍ ଜିତିଲେ ଭାରତ ସେମିରେ ପ୍ରବେଶ କରିବ।

ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା ଏମିତି ଦଳ ଯାହାର ସେମିରେ ପ୍ରବେଶ କରିବାର ସମ୍ଭାବନା ୯୦ ପ୍ରତିଶତରୁ ଅଧିକ ରହିଛି। ଆଫ୍ରିକା ଦଳ ଅଦ୍ୟାବଧି ୬ଟି ଖେଳି ୫ଟିରେ ବିଜୟ ଲାଭ କରିଛି ଏବଂ ଦଳର ସେମି ଫାଇନାଲ୍ ଖେଳିବାର ସମ୍ଭାବନା ୯୫.୫ ପ୍ରତିଶତ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡର ନକଆଉଟରେ ପହଞ୍ଚିବାର ସମ୍ଭାବନା ୭୫.୩ ପ୍ରତିଶତ ଓ ଅଷ୍ଟ୍ରେଲିଆର ୭୬.୧ ପ୍ରତିଶତ ରହିଛି।

ବିଶ୍ଵକପ୍ ୨୦୨୩ରେ ତିନୋଟି ମୁକାବିଲା ଜିତି ଆଫଗାନିସ୍ତାନ ପଏଣ୍ଟ ଟେବୁଲ ସହିତ ସେମି ଫାଇନାଲ ଦୌଡ଼କୁ ରୋମାଞ୍ଚ କରି ଦେଇଛି। ଏହି ଦଳ ଚଳିତ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଛି। ଇଂଲଣ୍ଡ, ପାକିସ୍ତାନକୁ ହରାଇବା ପରେ ଗତକାଲି ଶ୍ରୀଲଙ୍କାକୁ ହରାଇଛି। ଏହି କାରଣରୁ ଆଫଗାନିସ୍ତାନର ସେମି ଫାଇନାଲରେ ପହଞ୍ଚିବାର ସୁଯୋଗ ଶ୍ରୀଲଙ୍କା, ପାକିସ୍ତାନ ଓ ଇଂଲଣ୍ଡ ପରି ବଡ଼ ଦଳଠୁ ଯଥେଷ୍ଟ ଅଧିକ ରହିଛି। ଆଫଗାନିସ୍ତାନର ସେମି ଫାଇନାଲରେ ପହଞ୍ଚିବାର ସମ୍ଭାବନା ଶ୍ରୀଲଙ୍କା ବିପକ୍ଷରେ ଜିତିବା ପରେ ବଢି ୩୩.୧ ପ୍ରତିଶତ ହୋଇଛି।

ବିଶ୍ଵକପ୍ ୨୦୨୩ରେ ସାମିଲ୍ ସମସ୍ତ ଦଳର ସେମି ଫାଇନାଲରେ ପହଞ୍ଚିବାର ସମ୍ଭାବନା
ଭାରତ- ୯୯.୯ ପ୍ରତିଶତ
ଦକ୍ଷିଣ ଆଫ୍ରିକା- ୯୫.୫ ପ୍ରତିଶତ
ନ୍ୟୁଜିଲାଣ୍ଡ- ୭୫.୩ ପ୍ରତିଶତ
ଅଷ୍ଟ୍ରେଲିଆ- ୭୬.୧ ପ୍ରତିଶତ
ଆଫଗାନିସ୍ତାନ- ୩୩.୧ ପ୍ରତିଶତ
ଶ୍ରୀଲଙ୍କା- ୬.୭ ପ୍ରତିଶତ
ପାକିସ୍ତାନ- ୬.୬ ପ୍ରତିଶତ
ନେଦରଲ୍ୟାଣ୍ଡ୍ସ- ୫.୯ ପ୍ରତିଶତ
ବାଂଲାଦେଶ- ୦.୪ ପ୍ରତିଶତ
ଇଂଲଣ୍ଡ- ୦.୪ ପ୍ରତିଶତ