Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା, ଇତିହାସ ଦୋହରାଇବାର ଦ୍ଵାରରେ ହିଟ୍ ମ୍ୟାନ୍, ଜାଣନ୍ତୁ ନଭେମ୍ବର ୨ କାହିଁକି ଖାସ୍

ନୂଆଦିଲ୍ଲୀ: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡ଼ିୟମରେ ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବିଶ୍ଵକପ୍ ୨୦୨୩ର ଏକ ମୁକାବିଲା ଖେଳାଯିବ। ଭାରତୀୟ ଦଳ ଆଜିର ମ୍ୟାଚ୍ ଜିତି ଆନୁଷ୍ଠାନିକ ଭାବେ ସେମି ଫାଇନାଲରେ ପ୍ରବେଶ କରିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଚଳିତ ବିଶ୍ଵକପରେ ଦଳର ପ୍ରଦର୍ଶନ ଦମଦାର ରହିଛି। ରୋହିତ ବାହିନୀ ସମସ୍ତ ୬ଟି ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ଏକ ମାତ୍ର ଦଳ ଭାବେ ଅପରାଜେୟ ରହିଛି। ଭାରତୀୟ ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ଏମିତିରେ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ନଜର ଏହି ଦୁଇ ବ୍ୟାଟରଙ୍କ ଉପରେ ରହିବ।

ଉଲ୍ଲେଖନୀୟ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ନଭେମ୍ବର ୨ ତାରିଖ ବହୁତ ଖାସ୍ ରହିଛି। ରୋହିତ ଶର୍ମା ଆଜକୁ ଠିକ୍ ୧୦ ବର୍ଷ ପୂର୍ବେ ନଭେମ୍ବର ୨ ତାରିଖରେ ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ଦ୍ଵିଶତକ ହାସଲ କରିଥିଲେ। ହିଟ୍ ମ୍ୟାନ୍ କଙ୍ଗାରୁ ଦଳ ବିରୋଧରେ ୨୦୯ ରନର ଇନିଂସ ଖେଳିଥିଲେ। ଏଥିରେ ୧୬ ଛକା ଓ ୧୨ ଚୌକା ସାମିଲ୍ ଥିଲା। ଆଜିର ଦିନରେ କ୍ରିକେଟ୍ ପ୍ରେମୀ ତାଙ୍କ ବ୍ୟାଟରୁ ଏମିତି ଇନିଂସ ଆଶା କରୁଛନ୍ତି।

ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିଶତକ ଅର୍ଜନ କରିବା ପରେ ମଧ୍ୟ ଆହୁରି ଦୁଇ ଥର ଏହି ଉପଲବ୍ଧି ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୨୦୧୪ରେ ନଭେମ୍ବର ୧୩ ତାରିଖରେ ୨୬୪ ରନର ବିସ୍ଫୋରକ ଐତିହାସିକ ଇନିଂସ ଖେଳିଥିଲେ। ଏହା ଭାରତୀୟ ଅଧିନାୟକଙ୍କ ଦିନିକିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପରେ ରୋହିତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୨୦୮ ରନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ