Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋହିତ ଶର୍ମା କଲେ ଏମିତି କାରନାମା, ଯାହା କ୍ରିକେଟ୍ ଇତିହାସରେ କେହି କରି ନାହାନ୍ତି

ନୂଆଦିଲ୍ଲୀ: ଗତକାଲି ଚଳିତ ବିଶ୍ଵକପର ୩୩ତମ ମୁକାବିଲାରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩୦୨ ରନର ବିଶାଳ ବିଜୟ ସହ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ଇତିହାସ ରଚିଛି। ଶ୍ରୀଲଙ୍କା ବିପକ୍ଷରେ ହିଟମ୍ୟାନ୍ ଯେଉଁ କାରନାମା କରି ଦେଖାଇଛନ୍ତି, ତାହା ଦିନିକିଆ କ୍ରିକେଟର ୫୨ ବର୍ଷର ଇତିହାସରେ କୌଣସି ଅଧିନାୟକ କରି କି ଦେଖାଇ ନାହାନ୍ତି। ଶ୍ରୀଲଙ୍କା ବିପକ୍ଷରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶୁଭମନ ଗିଲଙ୍କ ୯୨ ରନ, ବିରାଟ କୋହଲିଙ୍କ ୮୮ ରନ ଓ ଶ୍ରେୟସ ଆୟରଙ୍କ ୮୨ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୩୫୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୯.୪ ଓଭରରେ ୫୫ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୫ ଓ୍ଵିକେଟ୍ ଅକ୍ତିକାର କରି ପ୍ଲେୟାର ଅଫ ଦ ମ୍ୟାଚ୍ ଜିତିଛନ୍ତି।

ଭାରତର ଏହି ବିଜୟ ଦିନିକିଆ କ୍ରିକେଟରେ ରନ ଦୃଷ୍ଟିରୁ ଚତୁର୍ଥ ବଡ଼ ବିଜୟ। ବିଶ୍ଵକପରେ ଚାରି ଥର ଏମିତି ଘଟିଛି, ଯେଉଁଠି ଦଳ ୩୦୦ରୁ ଅଧିକ ରନ ବ୍ୟବଧାନରେ ମ୍ୟାଚ୍ ଜିତିଛନ୍ତି। ଏହି ତାଲିକାରେ ଭାରତ ସହିତ ଅଷ୍ଟ୍ରେଲିଆ ଓ ଜିମ୍ବାଓ୍ଵେର ନାଁ ରହିଛି। ଭାରତ ଦୁଇ ଥର ଏହି ଉପଲବ୍ଧି ହାସଲ କରିଛି। ଆଉ ପ୍ରତି ଥର ଭାରତ ଶ୍ରୀଲଙ୍କାକୁ ହରାଇଛି। ଆଉ ଦୁଇ ବିଜୟରେ ଅଧିନାୟକ ରୋହିତ ଶର୍ମା ହିଁ ରହିଛନ୍ତି।

ଏହା ସହିତ ରୋହିତ ଶର୍ମା ଦିନିକିଆ କ୍ରିକେଟ୍ ଇତିହାସରେ ବିରୋଧୀ ଦଳକୁ ୩୦୦ରୁ ଅଧିକ ରନରେ ଦୁଇ ଥର ହରାଇବାରେ ପ୍ରଥମ ଅଧିନାୟକ ହେବାର ରେକର୍ଡ କରିଛନ୍ତି। ଭାରତ ଚଳିତ ବର୍ଷ ତିରୁଅନନ୍ତପୁରମରେ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା, ଯାହା ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠୁ ବଡ଼ ବିଜୟ।

ଅଷ୍ଟ୍ରେଲିଆ ଓ ଜିମ୍ବାଓ୍ଵେ ଉପରେ ନଜର ପକାଇଲେ କଙ୍ଗାରୁ ଦଳ ବିଶ୍ଵକପ୍ ୨୦୨୩ରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ୩୦୨ ରନରେ ବିଜୟ ହାସଲ କରିଥିଲା। ଅନ୍ୟପଟେ ଜିମ୍ବାଓ୍ଵେ ୟୁଏସଏକୁ ୩୦୪ ରନରେ ମାତ୍ ଦେଇଥିଲା।

ଦିନିକିଆ କ୍ରିକେଟରେ ସବୁଠୁ ବଡ଼ ବିଜୟ

୩୧୭ ରନ- ଭାରତ ବନାମ ଶ୍ରୀଲଙ୍କା, ଅଧିନାୟକ- ରୋହିତ ଶର୍ମା
୩୦୯ ରନ- ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ୍ସ, ଅଧିନାୟକ- ପାଟ୍ କମିନ୍ସ
୩୦୪ ରନ- ଜିମ୍ବାଓ୍ଵେ ବନାମ ୟୁଏସଏ, ଅଧିନାୟକ- ସିନ ଓ୍ଵିଲିୟମସନ
୩୦୨ ରନ- ଭାରତ ବନାମ ଶ୍ରୀଲଙ୍କା, ଅଧିନାୟକ- ରୋହିତ ଶର୍ମା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ