Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜେଶ ଗିରଫ

ବେଲଗୁଣ୍ଠା, 05/11, ଗତ ସେପ୍ଟେମ୍ବର୍ ମାସରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଦୋଡ଼ଙ୍ଗା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଦମ୍ପତିଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜେଶ୍ କୁମାର ପରିଡ଼ା (30) କୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଗତ ସେପ୍ଟେମ୍ବର ମାସରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଦୋଡ଼ଙ୍ଗା ଗ୍ରାମର ସନ୍ନ୍ୟାସୀ ବାରିକ(48)ଙ୍କ ଘରେ ପଶି ବେଲଗୁଣ୍ଠା ଥାନା ଅନ୍ତର୍ଗତ କାଳପଙ୍କାଳ ଗ୍ରାମର ରାଜେଶ୍ କୁମାର ପରିଡ଼ା (30), ଶଙ୍କର ନାଇକ (27) ଏବଂ ଟୋଲା ସାହୁ (25)କୁ ସାଥିରେ ଧରି ସନ୍ୟାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ନିକଟସ୍ଥ ନଦୀ ମଝିକୁ ଟାଣି ନେଇ ଠେଙ୍ଗା ଏବଂ ବାଡ଼ିରେ ଆକ୍ରମଣ କରିଥିଲେ I ଏହି ସମୟରେ ସନ୍ୟାସୀଙ୍କ ସ୍ତ୍ରୀ ମମତା ଘଟଣା ସ୍ଥଳକୁ ଯାଇ ଏହାର ପ୍ରତିବାଦ କରିବାରୁ ସେମାନେ ମମତାଙ୍କୁ ମଧ୍ଯ ଅଶ୍ରାବ୍ୟ ଭାଷାରେ ଗାଳି କରି ତାଙ୍କ ଲୁଗାପଟା ଟାଣି ଚିରି ଦେବା ସହିତ ଆକ୍ରମଣ ମଧ୍ୟ କରିଥିଲେ I ଏହାପରେ ସେମାନେ ସନ୍ୟାସୀଙ୍କୁ ନିକଟସ୍ଥ ବଙ୍କା ଗାଆଁ ଦାଣ୍ଡକୁ ଟାଣି ନେଇ ସେଠାରେ ମଧ୍ୟ ଆକ୍ରମଣ କରିଥିଲେ I ଏହି ସମୟରେ ବଙ୍କା ଗ୍ରାମର ପ୍ରବୀଣ କୁମାର ସୁଆଁସିଆ (48) ଘଟଣା ସ୍ଥଳକୁ ଆସି ଆକ୍ରମଣକୁ ରୋକିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ I ଏହା ସହିତ ଆକ୍ରମଣକାରୀ ମାନେ ସନ୍ୟାସୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ I ଆକ୍ରମଣ ଫଳରେ ସନ୍ୟାସୀଙ୍କର ବାମ ହାତ ଭାଙ୍ଗିଯିବା ସହ ଡ଼ାହାଣ ହାତ, ମୁଣ୍ଡ ଏବଂ ଗୋଡ଼ରେ ମଧ୍ଯ ଆଘାତ ଲାଗିଥିବା ମମତା ଅଭିଯୋଗ କରିଥିଲେ I ଆହତ ସନ୍ୟାସୀଙ୍କୁ ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଞ୍ଜନଗର ମେଡ଼ିକାଲ୍ ରେ ଚିକିତ୍ସା କରାଯାଇଥିଲା I ମମତାଙ୍କ ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ଥାନାରେ 675/23 ରେ ଏକ ମାମଲା ରୁଜୁ କରାଯାଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା I ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜେଶ୍ ସେହିଦିନ ଠାରୁ ଭୁବନେଶ୍ୱର ଚାଲିଯାଇଥିଲା I ଆଜି ଗାଆଁକୁ ଆସିଥିବା ଖବର ପାଇ ଗାଙ୍ଗପୁର ପୋଲିସ୍ ରାଜେଶ୍ କୁ ଗିରଫ କରିଥିବା ବେଳେ ଆସନ୍ତା କାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ