ଭୁବନେଶ୍ଵର: ଭୁବନେଶ୍ଵର ରେଞ୍ଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର କମିଶନର ଅଫିସ ଘେରାଉ କରିଛି ଛାତ୍ର କଂଗ୍ରେସ। ବିଧାୟିକାଙ୍କ ଭାଇ ବିଶାଳ ଦାସ ଗାଡ଼ି ଚଳାଉଥିବା ଅଭିଯୋଗ ହେଉଛି। ପୋଲିସ ଏ ଯାଏ କାହିଁକି ସିସିଟିଭି ଫୁଟେଜ୍ ସାର୍ବଜନୀନ କରୁନି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇଛି।
ପୋଲିସ ଚକ୍ରାନ୍ତ କରି ଗାଡ଼ି ନମ୍ବର ବଦଳାଇ ଦେଇଥିବା କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛି। ବିଜେଡି ବିଧାୟିକାଙ୍କ ଭାଇ ବୋଲି ପୋଲିସ ତାଙ୍କୁ ଖସାଇ ଦେଇଛି। ମୃତକଙ୍କ ପରିବାରକୁ ୧ କୋଟି ଓ ବିଶାଳ ଦାସଙ୍କୁ ଗିରଫ କରାଯାଉ। ଦାବି ପୂରଣ ନ ହେବା ଯାଏଁ ଛାତ୍ର କଂଗ୍ରେସ ଚୁପ୍ ହୋଇ ବସିବନି। ଶାସକ ଦଳର ବିଧାୟିକାଙ୍କ ଭାଇ ବୋଲି ସବୁ ମାଫ ନା କଣ ବୋଲି କଂଗ୍ରେସ ସମାଲୋଚନା କରିଛି ବୋଲି ୟାସିର ନଓ୍ଵାଜ୍ କହିଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ନାଁ ଲୋପାମୁଦ୍ରା ସାହୁ। ଗତ ୩୧ ତାରିଖରେ ରାଜଧାନୀର ପାୱାର ହାଉସ ଛକରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର।
ଗତ ୩୧ ତାରିଖରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜରୋଭର ବାଇକକୁ ଧକ୍କା ଦେଇଥିଲା। ବାଇକରେ ଯାଉଥିବା ୨ ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଲୋପାମୁଦ୍ରା ସାହୁ ଓ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ। କାହ୍ନୁଚରଣ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଥିବା କୁହାଯାଉଛି।
ତେବେ ଦାମୀ ରେଞ୍ଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା। ଗାଡ଼ିଟି କାହାର ଏବଂ ସେଥିରେ କିଏ ଥିଲେ, ତାକୁ ମଧ୍ୟ ପ୍ରଶ୍ନ ଉଠିଥିଲା। ଗାଡ଼ିଟି ଏକ ଘରୋଇ କମ୍ପାନୀ ନାଁରେ ରେଜିଷ୍ଟ୍ରୀ ହୋଇଥିଲା। ସଂପୃକ୍ତ ଘରୋଇ କମ୍ପାନୀର ନିର୍ଦ୍ଦେଶକ ଥିଲେ ବିଶ୍ଵାଳ ଦାସ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଉକ୍ତ କମ୍ପାନୀର ନିର୍ଦ୍ଦେଶକ।