ଆମପାଣି ବୁଢ଼ାରଜାଙ୍କ ବାର୍ଷିକ ଦଶହରା ପର୍ବ ପାଳିତ


ଭବାନୀପାଟଣା, ୦୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ସ୍ଥିତ ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶହରା ପର୍ବ ମହା ସମାରୋହରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ପାଳିତ ହୋଇ ଯାଇଛି ।ପ୍ରଭୁ ବୁଢ଼ାରଜାଙ୍କ ଲାଠିଯାତ୍ରା ଓ ଲାଖବିନ୍ଦା କାର୍ଯ୍ୟକ୍ରମ ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉତ୍ସାହ ଉଦ୍ଧିପନ୍ନା ଦେଖିବାକୁ ମିଳିଥିଲା ।ଏନେଇ କମିଟି ଓ ପ୍ରଶାସନ ତରଫରୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିଲା । ସୂଚନାମତେ ଆମପାଣି ଘାଟି ମୁଣ୍ଡରେ କୋଉ ଆବାହନ କାଳରୁ ବୁଢ଼ାରଜା ପୂଜା ପାଇ ଆସୁଛନ୍ତି ।ଏକଦା ସେଠାରେ ଘଞ୍ଚ ଜଙ୍ଗଲ ରହିଥିଲା । ପ୍ରତିଦିନ ଜଣେ ଆଦିବାସୀ ସେଠାରେ ଗାଈ ଗୋଠ କରୁଥିଲେ ।ଦିନେ ହଠାତ ଏକ ଲିଙ୍ଗ ସେଠାରେ ଆବିର୍ଭାବ ହେଲା କିନ୍ତୁ ଗୋବର ସଂଗ୍ରହକାରୀ ଜାଣି ନ ପାରି ସେହି ପଥର ଲିଙ୍ଗକୁ ଫୋପାଡ଼ି ଦେଉଥିଲେ । ପରେ ପ୍ରଭୁ ବୁଢ଼ାରଜା ସ୍ୱପ୍ନାଦେଶ ହେବାରୁ ଆଦିବାସୀ ମାନେ ସେହି ଦିନଠାରୁ ପୂଜା କରିବା ଆରମ୍ଭ କଲେ । ବୁଢ଼ାରଜାଙ୍କୁ ପ୍ରତି ଦିନ ପୂଜା କରୁଥିବା ବେଳେ ବିଦିବଦ୍ଧ ଭାବେ ମଙ୍ଗଳବାର ଓ ଶନିବାର ପୂଜା କରାଯାଇଥାଏ ।ଘାଟି ଚଢିବା ଆଗରୁ ଯାତ୍ରୀମାନେ ପ୍ରଭୁଙ୍କ ପାଖରେ ନଡ଼ିଆ ଭାଙ୍ଗି ଦର୍ଶନ କରି ଯାତ୍ରା କରିଥାନ୍ତି । ବିଶ୍ୱାସ ଅନୁଯାୟୀ ଯିଏ ଭକ୍ତି ଭାବରେ ଡାକିଥାଏ ତାଙ୍କର ସବୁ ମନକମନା ପୂରଣ ହୋଇଥାଏ । ତେଣୁ ଶହଶହ ମାନସିକଧାରୀ ଙ୍କ ସମାଗମ ହୋଇଥାଏ ।ପ୍ରଭୁ ବୁଢ଼ାରଜାଙ୍କ ପୂର୍ବାହ୍ନ ୧୦ଘଟିକାରେ ଲାଠିଯାତ୍ରା,ଅପରାହ୍ନ ୩ଘଟିକାରେ ଲାଖବିନ୍ଦା ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।