Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଓ ଏହାର ନେତା ମୋତେ ହାଇଲାଇଟ୍ କରୁଛନ୍ତି ଓ ମୋର ପ୍ରଚାର କରୁଛନ୍ତି: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେଡି ଓ ଏହାର ନେତାମାନେ ମୋତେ ହାଇଲାଇଟ୍ କରୁଛନ୍ତି। ସେମାନେ ମୋର ବେଶ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀ। ବିଜେପିରେ ଯୋଗ ଦେବା ଚର୍ଚ୍ଚାରେ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଛନ୍ତି, ଏ ଯାଏ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନି। ରାଜ୍ୟପାଳଙ୍କ ଶପଥ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଏକ ସଂଯୋଗ। ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ। ବିଜେଡି କେଉଁଠୁ ଖବର ପାଇଲା ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ରାଜଭବନରେ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସମାରୋହରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହ ଯେତିକି ଚର୍ଚ୍ଚା ସାଉଁଟି ନାହିଁ ସେତିକି ଚର୍ଚ୍ଚାରେ ଥିଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଦୀପ ପାଣିଗ୍ରାହୀ ଏକାଠି ବସିବା। ଏହାପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲା ଯେ, ଗୋପାଳପୁର ବିଧାୟକ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ବିଶେଷ କରି ବିଜେଡିର ନେତା ଓ ମନ୍ତ୍ରୀମାନେ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ଷେପ କରିଥିଲେ।

ଉଲ୍ଲେଖନୀୟ ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁର ସହ ଗଞ୍ଜାମର ଆଉ କିଛି ଆସନରେ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜିଲ୍ଲାରେ ତାଙ୍କର ବେଶ ଜନାଧାର ଆଉ ଦବଦବା ରହିଛି। ତାଙ୍କର ନିଜସ୍ଵ ଭୋଟ ବ୍ୟାଙ୍କ ରହିଛି। ତଥାପି କେଉଁଠି ନା କେଉଁଠି ସେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏମିତି ସ୍ଥିତିରେ ବିଜେପି ଏମିତି ଏକ ଦଳ ଯେଉଁଠି ସେ ନିଜକୁ ସୁରକ୍ଷିତ ମଣିବା ସହିତ ନିଜର ରାଜନୈତିକ କ୍ୟାରିୟରକୁ ଆହୁରି ଆଗକୁ ନେଇ ପାରନ୍ତି।

ଅନ୍ୟପଟେ ଦଳରେ ପ୍ରଦୀପଙ୍କ ଆଗମନ ହେଲେ ଗଞ୍ଜାମରେ ବିଜେପି ପାଇଁ ମଧ୍ୟ ବେଶ ଫାଇଦା ମିଳିପାରେ। ପ୍ରଦୀପଙ୍କ ଜରିଆରେ ଦଳ ବିଜେଡିକୁ ଗଞ୍ଜାମ ଜିଲ୍ଲାରେ ଅଡୁଆରେ ପକାଇପାରେ। ବିଜେଡିରୁ ବିଦା ହେବା ପରେ ପ୍ରଦୀପ ଶାସକ ଦଳ ପ୍ରତି କଠୋର ଆଭିମୁଖ୍ୟ ଆପଣେଇଛନ୍ତି। ଆଉ ବିଜେପି ପ୍ରତି ଢଳୁଥିବା ନଜିର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ