Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିକୁ ଘେରିବାକୁ ସଜବାଜ; ଆଜିଠୁ ବ୍ଲକ ଆଗରେ ବିଜେପିର ବିକ୍ଷୋଭ, ଡିସେମ୍ବର ୧ରେ କଂଗ୍ରେସ ତୁଳସୀ ଯାତ୍ରା

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ଏହା ପୂର୍ବରୁ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ ସରକାର ବିରୋଧରେ ରଣହୁଙ୍କାର ଦେବାକୁ ବିରୋଧୀ ଦଳ ସଜବାଜ ହେଲେଣି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ବିଜେପି ଓ କଂଗ୍ରେସ ଅଭିଯାନ ଆରମ୍ଭ କରିବେ। ବିନା ପଲ୍ଲୀସଭାରେ ସରକାରୀ କାମ ହେଉଥିବା ଅଭିଯୋଗ କରି ବିଜେପି ଆଜିଠୁ ୧୮ ତାରିଖ ଯାଏ ବ୍ଲକ ଆଗରେ ବିକ୍ଷୋଭ କରିବ ।  ସେପଟେ ଡିସେମ୍ବର ୧ରେ ତୁଳସୀ ଯାତ୍ରା କରିବାକୁ ଘୋଷଣା କରିଛି କଂଗ୍ରେସ ।

ସରକାରଙ୍କୁ ଘେରିବାକୁ ଆଜିଠୁ ବ୍ଲକ ଆଗରେ ବିକ୍ଷୋଭ କରିବ ବିଜେପି। ଗ୍ରାମାଞ୍ଚଳ ବିକାଶ ପାଇଁ ରାଜ୍ୟ ସରକାର ସବୁ ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ କରିଥିବା ବେଳେ ଏଥିରେ ସରକାରୀ ଅର୍ଥ ହରିଲୁଟ୍ ହେଉଥିବା ବିଜେପି ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା , ମନରେଗା କାମରେ  ପିସି କାରବାର, ସ୍ବଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣରେ ମଧ୍ୟ ଦୁର୍ନୀତି ହେଉଥିବା ବିଜେପି କହିଛି।  ବିନା ପଲ୍ଲୀସଭାରେ କାମ କରି ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଯୋଜନା ହୋଇଛି। ଏହାର ପ୍ରତିବାଦରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ସବୁ ବ୍ଲକ ଆଗରେ ବିଜେପି ବିକ୍ଷୋଭ କରିବ।

ସେପଟେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲାଯାଉ, ରତ୍ନ ଭଣ୍ଡାର ଖୋଲୋଯାଉ, ରତ୍ନ ଗଣତି କରାଯାଉ ଓ ରତ୍ନ ଭଣ୍ଡାର ମରାମତି କରାଯିବା ଦାବିରେ ସରକାରଙ୍କୁ ଘେରିବାକୁ ଡିସେମ୍ବର ୧ରୁ କଂଗ୍ରେସ ତୁଳସୀ ଯାତ୍ରା କରିବ। କଂଗ୍ରେସ କର୍ମୀ ପଞ୍ଚାୟତରୁ ଜିଲ୍ଲା ଯାଏଁ ତୁଳସୀ ସଂଗ୍ରହ କରିବେ । ସଂଗୃହିତ ତୁଳସୀକୁ ଜିଲ୍ଲା ସଭାପତିମାନେ ଭୁବନେଶ୍ବର ଆଣିବେ।  କଂଗ୍ରେସ ଭବନରୁ ଏସବୁ ତୁଳସୀ ଧରି ଭୁବନେଶ୍ଵରରୁ ପୁରୀ ଯାଏଁ ତୁଳସୀ ଯାତ୍ରା କରିବ କଂଗ୍ରେସ। ଏହା ସହିତ ପୁରୀରେ ବିଶାଳ ସମାବେଶ କରିବ କଂଗ୍ରେସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ