ଭବାନୀପାଟଣା, ୧୬/୧୧ (ଜଗନ୍ନାଥ ନାଏକ) : ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସ୍ଟେଡିୟମ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଙ୍କ ସଭାପତିତ୍ଵରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ସଭାପତି , ଜିଲ୍ଲା ପରିଷଦ , କଳାହାଣ୍ଡି ଯୋଗଦାନ କରି ଜିଲ୍ଲାର ସମସ୍ତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚାଷୀଙ୍କୁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ , ଭବାନୀପାଟଣା ଶ୍ରୀ ପ୍ରଦୀପ ନାୟକଙ୍କ ପ୍ରତିନିଧି ଶ୍ରୀ ମନୋଜ ସାହୁ , ଅଧ୍ୟକ୍ଷ ବି.ସି.ସି.ବି , ଭବାନୀପାଟଣା ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା , ପ୍ରାଣୀସମ୍ପଦ ନିର୍ଦେଶାଳୟ , କଟକରୁ ଡା: ଅନନ୍ତ ପ୍ରସାଦ ପଣ୍ଡା ଉପ ନିର୍ଦ୍ଦେଶକ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା: ହେମନ୍ତ କୁମାର ପ୍ରଧାନ ସ୍ଵାଗତ ଭାଷଣ ରଖିଥିଲେ । ସେ ତାଙ୍କର ଅଭିଭାଷଣରେ କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସମସ୍ତ ଯୋଜନା ଉପରେ ଅବଗତ କରାଇଥିଲେ । ସଭାପତି ତଥା ଜିଲ୍ଲାପାଳ , କଳାହାଣ୍ଡି ତାଙ୍କର ଅଭିଭାଷଣ ମାଧ୍ୟମରେ ସମନ୍ଵିତ ଚାଷ ମାଧ୍ୟମରେ କିପରି ଚାଷୀଙ୍କ ଆୟବୃଦ୍ଧି ହୋଇପାରିବ ଏବଂ ଏହା ଦୁଇରୁ ତିନିଗୁଣ ହୋଇପାରିବ ସେଥିପାଇଁ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ , କଳାହାଣ୍ଡି କୁମାରୀ ଦ୍ରୌପଦୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟର ସୁପରିଚାଳନା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଡା: ଅଶୋକ ଚନ୍ଦ୍ର ପଣ୍ଡା , ଡା: ପ୍ରଭାତ ପରିଡା , ଡା: ଦୀପକ ବେହେରା , ଡା: କେଦାରନାଥ ଖମାରୀ , ଡା: ସୌମ୍ୟ ରଞ୍ଜନ ଦାଶ , ଶ୍ରୀମତୀ ପ୍ରଶାନ୍ତୀ ନାୟକ , ଶ୍ରୀ ଚନ୍ଦ୍ରମଣି ଶବର , ଶ୍ରୀ ପ୍ରଦୀପ କୁମାର ଘୋଷ ଇତ୍ୟାଦି ଙ୍କ ଯୋଗଦାନ ପ୍ରଶଂସନୀୟ ।
ଜିଲ୍ଲାର 13 ଗୋଟି ବ୍ଲକରୁ ମୋଟ 1000 ମତ୍ସ୍ୟଚାଷୀ , କୁକୁଡା ଚାଷୀ , ଛେଳିମେଣ୍ଢା ଚାଷୀ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପଞ୍ଜୀକୃତ ହୋଇଥିଲେ । ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ତଥା ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ସହିତ ଜୀବନ୍ତ ପ୍ରାଣୀ – ଗୋରୁଗାଇ , ସାଇୱାଲ ଗାଈ , ଶଙ୍କର ଜର୍ସି , ହୋଲଷ୍ଟିନ ଗାଈ, ହଁସ, ରାଜହଂସ , ଟର୍ପୀ , ଆସିନ କୁକୁଡା , ବାୟୋଫ୍ଲକ ମାଧ୍ୟମରେ ମାଛ ଚାଷ , ପଞ୍ଜୁରୀ ଭିତରେ ମାଛ ଚାଷ , ରଙ୍ଗୀନ ମାଛର ପ୍ରଦର୍ଶନ କରାଯାଇଛି ।
ଏହି ଅବସରରେ ଅଗ୍ରଣୀ ମତ୍ସ୍ୟଚାଷୀ ହିସାବରେ ଶ୍ରୀ କାମଦେବ ପୁଟେଲ, ଲାଞ୍ଜିଗଡ ବ୍ଲକ , ମାଛଚାଷ ରେ ସଫଳତା ପାଇଁ କଲମପୁର ବ୍ଲକ ର ମା ସଙ୍କଟ ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ , ଅଗ୍ରଣୀ ଛେଳି ଓ ମେଣ୍ଢାପାଳକ ହିସାବରେ ଶ୍ରୀ ଟଙ୍କଧର ଯାନୀ, ଜୁନାଗଡ ବ୍ଲକ ଓ ଅଗ୍ରଣୀ ଅଣ୍ଡାଦିଆ କୁକୁଡା ଚାଷୀ ହିସାବରେ ଶ୍ରୀମତୀ ସରୋଜିନୀ ସାହୁ , ଜୁନାଗଡ ବ୍ଲକ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।