ଅହମ୍ମଦାବାଦ: ଆଇସିସି ବିଶ୍ଵକପର ଇତିହାସରେ ୨୦୨୩ ପୂର୍ବରୁ କୌଣସି ବ୍ୟାଟର ଗୋଟିଏ ସଂସ୍କରଣରେ ୭୦୦ ରନ ଛୁଇଁ ନ ଥିଲେ। ମାତ୍ର ବିଶ୍ଵକପ୍ ୨୦୨୩ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏହି କୀର୍ତ୍ତିମାନ ସ୍ଥାପନ କରି ସାରିଛନ୍ତି ଏବଂ ତାଙ୍କ ହାତରେ ଆହୁରି ଗୋଟିଏ ମୁକାବିଲା ରହିଛି। ବିରାଟ ଯଦି ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୯ ରନ କରି ଦିଅନ୍ତି ତେବେ ବିଶ୍ଵକପ୍ ଇତିହାସରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ୮୦୦ ରନ କରିବାରେ ଦୁନିଆର ଏକ ମାତ୍ର ଖେଳାଳି ହେବେ।
୨୦୨୩ ବିଶ୍ଵକପ୍ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା, ଯିଏ ୨୦୦୩ ବିଶ୍ଵକପରେ ୬୭୩ ରନ କରିଥିଲେ। ଅନ୍ୟପଟେ ଏହି ବିଶ୍ଵକପରେ ମହମ୍ମଦ ଶାମି ଓ ରୋହିତ ଶର୍ମାଙ୍କ ନିକଟରେ ମଧ୍ୟ ବିଶ୍ଵ ରେକର୍ଡ କରିବାର ସୁଯୋଗ ରହିଛି। ରୋହିତ ଶର୍ମା ଯଦି ଫଇନାଲ୍ ମ୍ୟାଚରେ ୧୦ ବାଉଣ୍ଡରୀ ମାରି ଦିଅନ୍ତି ତେବେ ଗୋଟିଏ ବିଶ୍ଵକପ ସଂସ୍କରଣରେ ବାଉଣ୍ଡରୀର ଶତକ କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଯିବେ।
ରୋହିତ ଚଳିତ ବିଶ୍ଵକପରେ ଏ ଯାଏ ୯୦ ବାଉଣ୍ଡରୀ ମାରି ସାରିଛନ୍ତି। ମହମ୍ମଦ ଶାମି ଯଦି ବିଶ୍ଵକପ୍ ଫାଇନାଲରେ ୫ ଓ୍ଵିକେଟ୍ ଦଖଲ କରନ୍ତି ତେବେ ସେ ଗୋଟିଏ ବିଶ୍ଵକପରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହେବାର ଉପଲବ୍ଧି ହାସଲ କରିବେ। ମିଚେଲ୍ ଷ୍ଟାର୍କ ୨୦୧୯ ବିଶ୍ଵକପରେ ୨୭ ଓ୍ଵିକେଟ୍ ହାସଲ କରିଥିଲେ। ଶାମି ଏହି ବିଶ୍ଵକପରେ ଏ ପର୍ଯ୍ୟନ୍ତ ୨୩ ଓ୍ଵିକେଟ୍ ଅକ୍ତିକାର କରି ସାରିଛନ୍ତି। ସବୁଠୁ ବଡ଼ କଥା ଶାମି ଭାରତର ୧୦ଟି ମ୍ୟାଚରୁ କେବଳ ୬ଟି ଖେଳିଛନ୍ତି। ଶାମି ଚଳିତ ବିଶ୍ଵକପରେ ୩ ଥର ୫ ଓ୍ଵିକେଟ୍ ନେଇ ସାରିଛନ୍ତି। ଗୋଟିଏ ବିଶ୍ଵକପରେ ସବୁଠୁ ଅଧିକ ୫ ଓ୍ଵିକେଟ୍ ନେବାର ରେକର୍ଡ ଶାମିଙ୍କ ନାମରେ ରହିଛି।
ଆଇସିସି ବିଶ୍ଵକପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଅଜୟ ରହି ଫାଇନାଲରେ ପହଞ୍ଚିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ ବିଶ୍ଵକପରେ ଅପରାଜୟ ରହି ଚାମ୍ପିଅନ ହୋଇଥିଲା।