Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ଦିବସରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ରାଜ୍ୟର ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଉପକୃତ ହେବେ ୪୩ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ। ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ରାଜ୍ୟର ସବୁ ଅଞ୍ଚଳର ଚାଷୀ ଏହି ସହାୟତା ରାଶି ପାଇବେ। କିନ୍ତୁ ଏଥିରୁ ବାଦ୍‌ ପଡ଼ିଛନ୍ତି ଝାରସୁଗୁଡା ଜିଲ୍ଲାବାସୀ।

ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଚାଷୀ ଭାଇ ଭଉଣୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହିତ ଏଭଳି ଏକ ପବିତ୍ର ଦିନରେ ସହାୟତା ପ୍ରଦାନ କରି ଆମେ ନୂଆ ଆର୍ଥିକ ବର୍ଷ ଆରମ୍ଭ କଲୁ ବୋଲି କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷର ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ପୁଷ୍ଟିଭିତ୍ତିକ ଶସ୍ୟର ଉତ୍ପାଦନ ବୃଦ୍ଧି ତଥା ଚାଷୀଙ୍କ ରୋଜଗାରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ବି ଦେଇଥିଲେ ।

ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଫାଇଭ-ଟି ସଚିବ ଭି କେ ପଣ୍ଡିଆନ୍। କାର୍ଯ୍ୟକ୍ରମରେ କାଳିଆ ଯୋଜନାର ଉପଦେଷ୍ଟାମାନେ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ  ।