Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ପରେ ଘରକୁ ଫେରିବା ପଡ଼ୁଛି ମହଙ୍ଗା, ଅହମ୍ମଦାବାଦରୁ ବିଭିନ୍ନ ସହରକୁ ଟିକେଟ୍ ଦାମ ୧୦ ଗୁଣ ବୃଦ୍ଧି

ଅହମ୍ମଦାବାଦ: କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ଯବନିକା ରବିବାର ରାତିରେ ପଡ଼ି ସାରିଛି। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ଓ୍ଵିକେଟରେ ହରାଇ ଷଷ୍ଠ ଥର ବିଶ୍ଵକପ୍ ଟାଇଟଲ୍ ଜିତିଛି। ଏହା ସହିତ ଭାରତର ତୃତୀୟ ଥର ବିଶ୍ଵକପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ୧୪୦ କୋଟି ଭାରତୀୟ ହୃଦୟ ଭାଙ୍ଗିଛି। କିନ୍ତୁ ଫାଇନାଲକୁ ନେଇ ଅହମ୍ମଦାବାଦର ହୋଟେଲ୍, ରେଷ୍ଟୁରାଣ୍ଟ, ଟ୍ୟାକ୍ସି ଓ ବିମାନ ଉଦ୍ୟୋଗ ବହୁତ ମାଲାମାଲ ହୋଇଛନ୍ତି। ଚାହିଦା ବଢିବାରୁ ଏୟାରଲାଇନ୍ସକୁ ବହୁତ ଫାଇଦା ହୋଇଛି।

ଶନିବାରଠୁ ବିମାନ ଭଡ଼ା ଅନେକ ଗୁଣ ବଢିଥିଲା ଓ ଦେଶର ପାଖାପାଖି ସବୁ ବଡ଼ ସହରରୁ ଅହମ୍ମଦାବାଦର ବିମାନ ଭଡ଼ା ଆକାଶଛୁଆଁ ରହିଥିଲା। ଶନିବାର ସମଗ୍ର ଦେଶରେ ପାଖାପାଖି ୪.୬ ଲକ୍ଷ ଲୋକ ବିମାନ ଯାତ୍ରା କରି ରେକର୍ଡ କରିଛନ୍ତି। ତେବେ ଘରକୁ ଫେରିବାକୁ ବସିଥିବା ଲୋକଙ୍କୁ ମଧ୍ୟ ବିମାନ ଭଡ଼ା ଦୁଇ ଗୁଣା ଗଣିବାକୁ ପଡ଼ିବ।

ବିଶ୍ଵକପ୍ ଫାଇନାଲ୍ ସମାପ୍ତ ହେବା ପରେ ଘରକୁ ଫେରୁଥିବା ଯାତ୍ରୀଙ୍କୁ ମଧ୍ୟ ମହଙ୍ଗା ଟିକେଟ୍ ନେବାକୁ ପଡ଼ୁଛି। ଅହମ୍ମଦାବାଦରୁ ବିଭିନ୍ନ ସହରକୁ ଟିକେଟ୍ ଅନଲାଇନ ଚେକ୍ କରିବା ପରେ ଜଣା ପଡ଼ିଛି ଯେ, ବିମାନ ଭଡ଼ା ଅହେତୁକ ରହିଛି। ନଭେମ୍ବର ୨୦ ତାରିଖରେ ଅହମ୍ମଦାବାଦରୁ ଦିଲ୍ଲୀ ଟିକେଟ୍ ପାଖାପାଖି ୨୪ରୁ ୪୦ ହଜାର ଟଙ୍କା ପଡ଼ୁଛି। ଏହିପରି ଅହମ୍ମଦାବାଦରୁ ମୁମ୍ବାଇ ଟିକେଟ୍ ଦାମ ୨୫ ହଜାରରୁ ୩୬ ହଜାର ରହିଛି। କୋଲକାତାକୁ ୩୮ରୁ ୪୯ ହଜାର ଟଙ୍କା, ବେଙ୍ଗାଲୁରୁକୁ ୩୧ରୁ ୫୧ ହଜାର ଓ ହାଇଦ୍ରାବାଦରୁ ୩୦ରୁ ୪୩ ହଜାର ଟଙ୍କା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ