ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, ମନା କଲା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ


କଟକ: ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା। ଏହି ମାନ୍ୟତା ପ୍ରଦାନ କରିବାକୁ ମନା କରିଛି କେନ୍ଦ୍ର ସଂସ୍କୃତି ବିଭାଗ। ଚିଠି ମାଧ୍ୟମରେ ଉତ୍ତର ରଖି କଟକ ମେୟରଙ୍କୁ ଏ ସଂପର୍କରେ ଅବଗତ କରାଇଛି ମନ୍ତ୍ରଣାଳୟ। ଉଲ୍ଲେଖନୀୟ ନିକଟରେ ମେୟର ସୁବାସ ସିଂହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯାଇ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବାକୁ ଦାବି ଉପସ୍ଥାପନା ବି କରିଥିଲେ ।

ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ମିଳିବା ପରେ ଜାତୀୟ ସ୍ତରୀୟ ମାନ୍ୟତା ପାଇବା ଦାବି ଜୋର୍‌ ଧରିଥିଲା । ହେଲେ ଏସବୁ ଦାବି ଉପରେ ଏବେ ପଡିଛି ପୁର୍ଣ୍ଣଛେଦ । ଜାତୀୟ ମାନ୍ୟଚା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ମନା କରିଛି। ୨୦୧୯ ମସିହାରେ ଏହାକୁ ରାଜ୍ୟ ସ୍ତରୀୟ ଯାତ୍ରାର ମାନ୍ୟତା ମିଳିଥିଲା। ତେବେ କରୋନା ପାଇଁ ବାଲିଯାତ୍ରା ହୋଇପାରୁ ନ ଥିବାବେଳେ ୨୦୨୨ ମସିହାରେ ବେଶ୍‌ ଜାକଜମକରେ ଏହା ଅନୁଷ୍ଠିତ ହୋଇଥିଲା ।

ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘ ବର୍ଷରୁ ପାରମ୍ପରିକ ଭାବେ ହୋଇ ଆସୁଥିବା ଏହି ଯାତ୍ରାରେ ଦେଶ ବିଦେଶରୁ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି । ୨୦୨୧ ମସିହାରେ ତତ୍କାଳୀନ ସାଂସଦ ତଥା ଏବେର ମେୟର ସୁବାସ ସିଂହ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାସହ ଅନେକ ଥର କ୍ୟାବିନେଟ୍‌ରେ ଏନେଇ ଆଲୋଚନା ହୋଇଥିଲା । ତେବେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିନାହିଁ।