Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଜୁଡିଗଲା ବର୍ଷକର ଭାତହାଣ୍ଡି ଜମିରୁ ଶୁଖିଲା ପାଳ ସାଉଁଟୁଛି ଚାଷୀ

ବେଲଗୁଣ୍ଠା, 24/11, ବର୍ତ୍ତମାନ ଧାନ ଅମଳ ସମୟ ପାଖେଇଥିଲେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର,ଗୋବରା, ଗାଙ୍ଗପୁର ଆଦି ପଂଚାୟତର ଚାଷୀଙ୍କ ମୁହଁରୁ ହସ ଲିଭି ଯାଇଛି I ଏହି ପଂଚାୟତର ଚାଷୀମାନେ ବର୍ତ୍ତମାନ ଧାନ ଅମଳ କରିବା ବଦଳରେ କେବଳ ଶୁଖିଲା ପାଳ ସାଉଁଟୁ ଥିବା ଦେଖିବାକୁ ମିଳିଛି I ଚଳିତ ବର୍ଷ ଆବଶ୍ୟକ ଠାରୁ କମ୍ ବର୍ଷା ଚାଷୀଙ୍କ ପାଇଁ ଆଣିଦେଇଛି ଏହି ଦୂର୍ଦ୍ଦଶା I ବିଶେଷ କରି ଗୋବରା, ଗାଙ୍ଗପୁର ଏବଂ କ୍ଷତ୍ରିୟବରପୁର ପଂଚାୟତର ଅଧିକାଂଶ ଜମି ଅଣଜଳସେଚିତ କିସମର ହୋଇଥିବାରୁ ଏହି ଅଞ୍ଚଳର ଚାଷୀମାନେ ଜଳ ସେଚନ ପାଇଁ ବର୍ଷା ଉପରେ ହିଁ ନିର୍ଭର କରିଥାନ୍ତି I ଏହି ଅଞ୍ଚଳରେ ବହୁ ପାହାଡ଼ ପର୍ବତ ରହିଥିଲେ ମଧ୍ୟ ଏଥିରୁ ଗଡ଼ି ଆସୁଥିବା ବର୍ଷା ପାଣିକୁ ଅଟକାଇ ଆବଶ୍ୟକ ସ୍ଥଳେ କୃଷି କ୍ଷେତ୍ର ଗୁଡ଼ିକରେ ବ୍ୟବହାର କରିବାପାଇଁ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବା ବେଳେ ଏହି ପଂଚାୟତ ଗୁଡ଼ିକରେ ଥିବା ଘାଇ ଏବଂ ନଦୀନାଳଗୁଡିକର ରକ୍ଷାଣାବେକ୍ଷଣ ଏବଂ ପୁନରୁଦ୍ଧାର ଅଭାବ ଯୋଗୁଁ ସେଗୁଡ଼ିକ କ୍ରମେ ପୋତି ହୋଇ ଜଳ ଧାରଣ କ୍ଷମତା କମି ଯିବା ଯୋଗୁଁ ଜଳାଶୟ ଗୁଡ଼ିକ ଚାଷ କାମ ଆରମ୍ଭ ହେବା ପୂର୍ବରୁ ହିଁ ଶୁଖିଯାଇଥାଏ I ଫଳରେ ଏହି ଅଞ୍ଚଳଗୁଡ଼ିକରେ ପ୍ରତ୍ଯେକ ବର୍ଷ ଜଳ ସେଚନ ଅଭାବରୁ ଚାଳିଶିରୁ ପଚାଶ ପ୍ରତିଶତ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥାଏ I ଚଳିତ ବର୍ଷ ଏହି ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ଦୂର୍ଦ୍ଦଶା ବଳି ଯାଇଛି I ବର୍ଷା ଅଭାବ ଯୋଗୁଁ ଚାଷୀ ଜଳାଶୟ ଗୁଡ଼ିକରୁ ପାଣି ଟୋପାଏ ନପାଇ ଚାଷ ଆରମ୍ଭରୁ ଏହି ପଂଚାୟତ ଗୁଡ଼ିକରେ ଚାଷୀଙ୍କ ପଚାଶ ପ୍ରତିଶତ ଜମି ପଡ଼ିଆ ପଡ଼ିଥିଲା I ଅଳ୍ପ ବର୍ଷା ହେବା ପରେ କିଛି ଚାଷୀ ନିଜ ପରିବାର ପାଇଁ ବର୍ଷକର ଭାତିଆ ଯୋଗାଡ଼ କରିବା ପାଇଁ ଅଳ୍ପ ଜମିରେ ଧାନ ଚାଷ କରିଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କ ଜମିରେ ଧାନ କେଣ୍ଡାଟିଏ ଦେଖିବା ସ୍ଵପ୍ନ ହୋଇଯାଇଛି I କ୍ଷତ୍ରିୟବର ପଂଚାୟତ ପାଲକଷଣ୍ଢା ଗ୍ରାମର ପାଇକବାହାର,ଆଗୁଳ ଆଦି ଅଞ୍ଚଳରେ ଥିବା ଲିଙ୍ଗରାଜ ବେହେରା ଏବଂ ମହନ୍ତ ରାମକୃଷ୍ଣ ଦାଶଙ୍କର ଏକର ଏକର ଜମିରେ କେବଳ ଶୁଖିଲା ପାଳ ପଡିରହିଥିବା ଦେଖିବାକୁ ମିଳିଛି I ସେହିପରି ନୂଆଁପାଲକଷଣ୍ଢା ଗ୍ରାମର ଗହୀର ନୁଣ୍ଡାରେ ଥିବା ଟୁନା ବିଷୋୟୀ, ଅଭି ଭୂୟାଁ, ନାରୂ ବିଷୋୟୀଙ୍କ ଜମିରେ ମଧ୍ୟ ପାଣି ଅଭାବରୁ ଧାନକେଣ୍ଡାଟିଏ ଦେଖିବାକୁ ମିଳୁନି I ଗାଙ୍ଗପୁର ପଂଚାୟତର କୁମୁଣ୍ଡି ଖୁଦୁରଖାଇ ଅଞ୍ଚଳରେ ଥିବା ଶିବରାମ ସ୍ୱାଇଁଙ୍କର ପାଖାପାଖି ବାର ଏକର ଜମି ଏବଂ ଗାଙ୍ଗପୁର କିରାଖାଇ ,ଅର୍ଜ୍ଜୁନ ଏବଂ ଅଡିଆମାଳ ଅଞ୍ଚଳରେ ଗ୍ରାମର ଶଙ୍କର ବିଷୋୟୀ ଏବଂ ଅନ୍ୟାନ୍ୟ ଚାଷୀଙ୍କର ଏକର ଏକର ଜମିରେ ମଧ୍ୟ ବର୍ଷା ଅଭାବ ଯୋଗୁଁ ଧାନ କ୍ଷେତ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ିଯାଇଛି I ସେହିପରି ଗୋବରା ପଂଚାୟତରେ ମଧ୍ୟ ବର୍ଷା ଅଭାବ ଯୋଗୁଁ ମରୁଡ଼ିର ପଦ ଧ୍ୱନି ଶୁଣିବାକୁ ମିଳିଛି I ଏହି ପଂଚାୟତର ଚିରା ପାହାଡ଼,ପାଟଣା ଆଦି ଅଞ୍ଚଳରେ ଚାଷ ଜମି ଗୁଡ଼ିକ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି I ବର୍ତ୍ତମାନ ଅଞ୍ଚଳର ଚାଷୀମାନେ ଶୁଖିଲା ପାଳ କାଟି ଘରକୁ ଆଣୁଥିବା ବେଳେ ଚାଷୀଙ୍କର ଏହି ଦୁର୍ଦ୍ଦଶା ପ୍ରତି ସରକାର ଟିକିଏ ମଧ୍ୟ ସହାନୁଭୂତି ଦେଖାଇ ନାହାଁନ୍ତି I ତେଣୁ ଖୁବ୍ ଶୀଘ୍ର ସରକାର ଏହି ଜମି ଗୁଡ଼ିକୁ ମରୁଡ଼ି ପ୍ରପୀଡିତ ଘୋଷଣା କରିବା ସହିତ ବିଭାଗୀୟ କର୍ମଚାରୀ କ୍ଷତିଗ୍ରସ୍ତ ଜମି ଗୁଡ଼ିକୁ ଅନୁଧ୍ୟାନ କରିବା ସହିତ କ୍ଷୟ କ୍ଷତିର ଆକଳନ କରି କରି ଜଥଶୀଘ୍ର ଚଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି I