ସବୁ ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଛେଦ, ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ


ଭୁବନେଶ୍ଵର: କେବେ ମିଶିବେ ? କେବେ ଯୋଗ ଦେବେ ? କେବେ ଶଙ୍ଖ ଫୁଙ୍କିବେ ? କେବେ ସକ୍ରିୟ ରାଜନୀତିରେ ପାଦ ଦେବେ ? ଏହି ସବୁ ପ୍ରଶ୍ନ ଉପରେ ପଡ଼ିଛି ପୂର୍ଣ୍ଣଛେଦ। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳର ସାମିଲ୍ ହୋଇଛନ୍ତି ନିକଟରେ ସ୍ଵେଚ୍ଛାକୃତ ଅବସର ନେଇଥିବା ଭିକେ ପାଣ୍ଡିଆନ। ଏଥିସହ ସେ ସକ୍ରିୟ ରାଜନୀତିରେ ପାଦ ଦେଇ କ୍ୟାରିୟରରେ ନୂତନ ଇନିଂସ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି। ବର୍ତ୍ତମାନ ପାଣ୍ଡିଆନ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ରହିଛନ୍ତି।

ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ଣ ୧୦ଟା ୧୫ରେ ବିଜେଡିରେ ମିଶିବା ପରେ ଶଙ୍ଖଭବନ ଯାଇଥିଲେ। ଏହାପରେ ଗଞ୍ଜାମ ଯାଇ ମାଆ ତାରାତାରିଣୀଙ୍କ ଆଶୀର୍ବାଦ ନେବେ ପାଣ୍ଡିଆନ। ବିଜେଡିରେ ମିଶିବା ପୂର୍ବରୁ ନବୀନ ନିବାସରେ ଗୁରୁତ୍ଵପୁର୍ଣ୍ଣ ବୈଠକ ବସିଥିଲା। ଏଥିରେ ବହୁ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ ଆଲୋଚନା ପରେ ପାଣ୍ଡିଆନ ବିଜେଡିରେ ମିଶିଛନ୍ତି। ତା ପୂର୍ବରୁ ସୋମବାର ସକାଳେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ କରିଥିଲେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ପୁଣି ପରିକ୍ରମା ମାର୍ଗର ସମୀକ୍ଷା କରିଥିଲେ। ତେବେ ସକ୍ରିୟ ରାଜନୀତିରେ ପାଦ ଦେଇଥିବା ପାଣ୍ଡିଆନ ଆଗାମୀ ନିର୍ବାଚନରେ ବିଜେଡିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ବିଜେଡିରେ ବର୍ତ୍ତମାନ ନବୀନଙ୍କ ପରେ ଦ୍ଵିତୀୟ ସର୍ବଶକ୍ତିମାନ ନେତା ହୋଇଛନ୍ତି। କାହାକୁ ଟିକେଟ୍ ମିଳିବ, କାହାକୁ କେଉଁ ଆସନରେ ନିର୍ବାଚନ ଲଢାଯିବ ଏବେ ଏହାର ନିଷ୍ପତ୍ତି ନେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ପାଣ୍ଡିଆନଙ୍କ ରହିବ।

ସୂଚନାଯୋଗ୍ୟ, ଅକ୍ଟୋବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ସ୍ଵେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଥିଲେ। ତାଙ୍କର ଭିଆରଏସକୁ କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଥିଲେ। ଅଚାନକ ପାଣ୍ଡିଆନ ଭିଆରଏସ ନେବା ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଭିଆରଏସ ନେବାର ଦିନକ ପରେ ଅକ୍ଟୋବର ୨୪ ତାରିଖରେ ପାଣ୍ଡିଆଙ୍କୁ ନୂତନ ଦାୟିତ୍ଵ ମିଳିଥିଲା।। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯିବା ସହ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ଵ ଦେଇଥିଲେ।

ସୂଚନା ଥାଉ କି, ୨୦୦୦ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଭିକେ ପାଣ୍ଡିଆନ ୧୯୭୪ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ। ଆଇଏଏସ ଅଧିକାରୀ ଭାବେ ଓଡ଼ିଶାର କଳାହାଣ୍ଡିରେ କାର‌୍ୟ୍ୟ ଆରମ୍ଭ କରିଥିଲେ। ସେ ୨୦୦୨ରୁ ୨୦୦୪ ମସିହା ପର‌୍ୟ୍ୟନ୍ତ କଳାହାଣ୍ଡି ଉପଜିଲ୍ଲାପାଳ ଏବଂ ୨୦୦୫ରୁ ୨୦୦୭ ମାର୍ଚ୍ଚ ପର‌୍ୟ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାମ କରିଥିଲେ। ଏହା ପରେ ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର‌୍ୟ୍ୟ କରିଥିଲେ।ତାଙ୍କ କାର‌୍ୟ୍ୟରେ ପ୍ରଭାବିତ ହୋଇ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ କରାଯାଇଥିଲା। ୨୦୧୯ରେ ଫାଇଭ ଟି ସଚିବ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିଲେ।