ଭୁବନେଶ୍ଵର: ବହୁ ଚର୍ଚ୍ଚା ପରେ ଶେଷରେ କାର୍ତ୍ତିକ ପୂର୍ଣ୍ଣମୀରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଥିବା ଭିକେ ପାଣ୍ଡିଆନ। ଏଥିସହ ସେ ସକ୍ରିୟ ରାଜନୀତିରେ ପାଦ ଦେଇ କ୍ୟାରିୟରରେ ନୂତନ ଇନିଂସ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି।ସୋମବାର ପୂର୍ବାହ୍ଣ ୧୦ଟା ୧୫ରେ ବିଜେଡିରେ ମିଶିବା ପରେ ଶଙ୍ଖଭବନରେ ଯାଇଥିଲେ। ବିଜେଡିରେ ମିଶିବା ପୂର୍ବରୁ ନବୀନ ନିବାସରେ ଗୁରୁତ୍ଵପୁର୍ଣ୍ଣ ବୈଠକ ବସିଥିଲା। ଏଥିରେ ବହୁ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ।
ପାଣ୍ଡିଆନଙ୍କ ଯୋଗଦାନ ବେଳର ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବରିଷ୍ଠ ନେତା ପ୍ରବଣ ବଳବନ୍ତରାୟ, ଅରୁଣ ସାହୁ, ସାଂସଦ କଳିକେଶ ନାରାୟଣ ସିଂ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସମୀର ଦାଶ, ଦେବୀ ମିଶ୍ର, ନରେନ୍ଦ୍ର ପ୍ରତାପ ସ୍ଵାଇଁ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। ତେବେ ବଡ଼ କଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବୀନ ମନ୍ତ୍ରିମଣ୍ଡଳର ପରିବାର ଓ ସ୍ଵାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏହି ବୈଠକରେ ଦେଖିବାକୁ ମିଳିନାହିଁ। କିନ୍ତୁ ଦୀର୍ଘ ସମୟ ଧରି ଓଡ଼ିଶା ରାଜନୀତିରୁ ଗାଏବ ଥିବା କଳିକେଶ ନାରାୟଣ ସିଂ ଦେଓଙ୍କୁ ବିଜେଡିର ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଦେଖିବାକୁ ମିଳୁଛି।
ଏହି ଚିତ୍ର ଦେଖିବା ପରେ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ଯେ, କଣ ନିରଞ୍ଜନ ପୂଜାରୀ ଦଳରେ କଣଠେସା ହେଲେଣି। ତାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ୍ ମିଳିବାର ସମ୍ଭାବନା କମ ଥିବା ମଧ୍ୟ କୁହାଯାଉଛି। ନିରଞ୍ଜନ ପୂଜାରୀ ଦଳର ଜଣେ ଟାଣୁଆ ନେତା। ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ମନ୍ତ୍ରଣାଳୟ ସହ ବାଚସ୍ପତି ପରି ସାମ୍ବିଧାନିକ ପଦ ସମ୍ଭାଳିଛନ୍ତି। ତେବେ ପାଣ୍ଡିଆନଙ୍କ ବିଜେଡିରେ ମିଶିବା ସମୟରେ ଆୟୋଜିତ ବୈଠକରୁ ସେ ଗାଏବ ରାଜନୀତି ସମୀକ୍ଷକଙ୍କୁ ବିସ୍ମିତ କରିଛି। ବିନିକାରୁ ଦୁଇ ଥର ଓ ସୋନପୁରରୁ କ୍ରମାଗତ ତିନି ଥର ନିର୍ବାଚନ ଜିତିଥିବା ନିରଞ୍ଜନଙ୍କୁ ଏଥର ଏହି ଆସନରୁ ଟିକେଟ୍ ମିଳିବା ନେଇ ସଂଶୟ ରହିଛି। ସୋନପୁର ବିଜେଡିରେ ଦଳର ଦଳୀୟ କନ୍ଦଳ ମଧ୍ୟ ରହିଛି, ଚର୍ଚ୍ଚା ଚାଲିଛି ତାଙ୍କୁ ବିନିକା ଅଂଚଳରୁ ବେଶୀ ଭୋଟ ମିଳେ କିନ୍ତୁ ସୋନପୁରରୁ ନୁହେଁ । ତେଣୁ ଜିଲ୍ଲାର ସାଂପ୍ରତିକ ରାଜନୈତିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ଦଳୀୟ ହାଇକମାଣ୍ଡ ଏଥର ତାଙ୍କୁ ସୋନପୁରରୁ ଟିକେଟ୍ ଦେଇ ନ ପାରନ୍ତି ନେଇ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପଟେ ବିଜେଡିର ପୂର୍ବତନ ସାଂସଦ ତଥା ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ଵ କରିଥିବା କଳିକେଶ ନାରାୟଣ ସିଂଙ୍କୁ ବହୁ ଦିନର ବ୍ୟବଧାନ ପରେ ରାଜନୈତିକ କରିଡରରେ ଦେଖିବାକୁ ମିଳିଛି। ତାଙ୍କୁ ଏମିତି ସ୍ଥିତିରେ ଦେଖିବାକୁ ମିଳିଛି, ଯେତେବେଳେ ଭିକେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଛନ୍ତି। ବରିଷ୍ଠ ନେତାଙ୍କ ଗହଣରେ କଳିକେଶଙ୍କୁ ଦେଖିବାକୁ ମିଳିବା ତାଙ୍କର ଆଗାମୀ ରାଜନୀତିରେ କିଛିଟା ସଙ୍କେତ ମିଳିଛି। କୁହାଯାଉଥିଲା କଳିକେଶଙ୍କୁ ବିଜେଡି ଦୂରେଇ ଦେଇଛି। ଏପରିକି ତାଙ୍କୁ ଏଥର ଟିକେଟ୍ ମିଳିବାର ସମ୍ଭାବନା କମ୍ ଥିବା କୁହାଯାଉଥିଲା। ହେଲେ ଦଳର ସର୍ବଶକ୍ତିମାନ ଦୁଇ ନେତା ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ସହ ତାଙ୍କୁ ଦେଖିବାକୁ ମିଳିବା ଏଥିରୁ ଇସାରା ମିଳୁଛି ଯେ, କଳିକେଶଙ୍କୁ ପୁଣି ଥରେ ବଲାଙ୍ଗୀର ଲୋକସଭା ଆସନରୁ ଟିକେଟ୍ ମିଳିପାରେ। କଳିକେଶ ୨୦୦୯ ଓ ୨୦୧୪ ନିର୍ବାଚନରେ କ୍ରମାଗତ ଦୁଇ ଥର ଜିତି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂ ଦେଓଙ୍କଠୁ ସେ ପରାଜିତ ହୋଇଥିଲେ। ଏହା ପରଠୁ ସେ ଧିରେ ଧିରେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହେଲେ ନିର୍ବାଚନ ପାଖେଇ ଆସୁଥିବାରୁ ତାଙ୍କୁ ରାଜନୈତିକ କରିଡରରେ ଦେଖିବାକୁ ମିଳିଛି।
ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନ ବୈଠକରୁ ଗାଏବ ନିରଞ୍ଜନ, ଟିକେଟ୍ ମିଳିବା ସନ୍ଦେହ; ପୁଣି ଥରେ ଲଢିବେ କଳିକେଶ!
